ଯୁଗାବସାନ: ଶାନ୍ତ, ଭଦ୍ରତାର ପ୍ରତୀକ
1 min read

ଯୁଗାବସାନ: ଶାନ୍ତ, ଭଦ୍ରତାର ପ୍ରତୀକ

ଜଣେ ପ୍ରାଣୀପ୍ରେମୀ
ସାଧାରଣ ଲୋକଙ୍କ କଥା ଚିନ୍ତା କରୁଥିଲେ

ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି।

ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକ‌ା। ‘ଟାଟା’କୁ ଅପହଞ୍ଚ ଦୂରତାରେ ପହଞ୍ଚାଇଥିବା ଏହି ବିଶିଷ୍ଟ ଶିଳ୍ପପତି କଂପାନି ଲାଭାଂଶର ସିଂହଭାଗ ଦାତବ୍ୟ ଅନୁଷ୍ଠାନକୁ ଦେବାରେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ। ଭାରତ ସରକାର ପ୍ରଦତ୍ତ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପାଇଥିବା ଶିଳ୍ପ ଜଗତର ଏହି ମହାନ ନାୟକଙ୍କୁ ଭାରତରତ୍ନ ଉପାଧି ମିଳିନି ସତ କିନ୍ତୁ ସେ ଥିଲେ ଭାରତର ଅସଲ ରତ୍ନ।ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍‌କୁ ବିଶ୍ବରେ ପରିଚିତ କରିବା‌େର ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ  ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ବପ୍ନ ଦେଖିବାକୁ ଭୟ କରନାହିଁ। ସ୍ବପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ‌ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ବୀକାର କରିବା ସହ ଗର୍ବିତ ହେବେ। ଟାଟା ଗ୍ରୁପ୍‌କୁ କେବଳ ଭାରତ ଭିତରେ ସୀମିତ ରଖିବାକୁ ରତନ ଟାଟା ଚାହୁନଥିଲେ। ତାହାକୁ ଏକ ବିଶ୍ବପ୍ରସିଦ୍ଧ କମ୍ପାନି‌ରେ ପରିଣତ କରିବାକୁ ଚାହୁଥିଲେ। ଗୁରୁତ୍ବପୂର୍ଣ୍ଣ ବିଶ୍ବସ୍ତରୀୟ କମ୍ପାନିଗୁଡ଼ିକୁ ଅଧିଗ୍ରହଣ କରି ସେ ସାରା ଦୁନିଆରେ ଟାଟାର ପଦଚିହ୍ନ ସୃଷ୍ଟି କରିଥିଲେ। ତାଙ୍କ ବୈପ୍ଳବିକ ଓ ଅଭିନବ ପଦକ୍ଷେପ ଲାଗି ଟାଟା ଦୁନିଆର କୋଣ ଅନୁକୋଣରେ ପହଞ୍ଚିପାରିଥିଲା। ଏବେ ଟାଟା ଗ୍ରୁପ୍‌ର ଦୁଇ ତୃତୀୟାଂଶ ରାଜସ୍ବ ବିଦେଶ ବଜାରରୁ ଆସୁଛି। ବିଶ୍ବର ସବୁଠୁ ଶସ୍ତା କାର୍‌ ‘ନାନୋ’ ଥିଲା ତାଙ୍କ ମାନସସନ୍ତାନ। ଲକ୍ଷେ ଟଙ୍କାରେ ଭାରତୀୟ ପରିବାରର କାର୍‌ ସ୍ବପ୍ନ ପୂରଣ କରିବାକୁ ସେ କାମ କରିଥିଲେ। ନାନୋ ସମ୍ପର୍କରେ ଟାଟା କହିଥିଲେ ଯେ ଯେତେବେଳେ ମୁଁ ଏହି କାର୍‌ର ଡିଜାଇନ୍ କଥା ଚିନ୍ତା କରିଥିଲି ସେତେବେଳେ ମୋ ମନରେ ଭାରତୀୟ ପରିବାରର ଛବି ଭାସି ଉଠୁଥିଲା। ମୋଟରସାଇକଲ୍‌ରେ ଚାରି ଜଣ ହୋଇ ଯାତ୍ରା କରୁଥିବା ଭାରତୀୟ ପରିବାର କିଭଳି କାର୍‌ରେ ଯାଇପାରିବେ ତାହାକୁ ନେଇ ମୁଁ ନାନୋ ବିକାଶ କରିବାକୁ ଚାହୁଥିଲି। ମୁଁ ସେମାନଙ୍କ ଲାଗି ଏକ ସୁରକ୍ଷିତ କାର୍‌ ତିଆରି କରିବାକୁ ଚାହୁଥିଲି। ତାଙ୍କର ସେହି ଭାବନାରୁ ସେ ଭାରତୀୟ ସାଧାରଣ ଜନତାଙ୍କ କଥା କେତେ ଚିନ୍ତା କରୁଥିଲେ ତାହା ଜଣାପଡ଼ୁଛି। 

ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସେ ଲୋକମାନଙ୍କ ସହ ଠିଆ ହୋଇଥିଲେ। ରିଲିଫ୍ ପ୍ରଦାନଠାରୁ ଆରମ୍ଭ କରି ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପର୍ଯ୍ୟନ୍ତ ସବୁ କିଛିର ସେ ପ୍ରତ୍ୟକ୍ଷ ଭାବେ ଦେଖାଶୁଣା କରିଥିଲେ। ପଶୁପକ୍ଷୀଙ୍କୁ ସେ ବହୁତ ଭଲ ପାଉଥିଲେ। ଅଧିକାଂଶ ସମୟରେ ନିଜ ପୋଷାକ କୁକୁର ସହ ତାଙ୍କର ଫଟୋ ଦେଖିବାକୁ ମିଳୁଥିଲା। ନିଜ ବାସଭବନ ପାଖରେ ବୁଲା କୁକୁର ଓ ପଶୁମାନଙ୍କୁ ଖାଦ୍ୟ ଖୁଆଉଥିବାର ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ମୁମ୍ବାଇରେ ଥିବା ତାଜ ମହଲ୍‌ ପ୍ୟାଲେସ୍‌ ହୋଟେଲ୍‌ର ଦ୍ବାରକୁ ବୁଲା ପଶୁଙ୍କ ଲାଗି ଖୋଲା ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବର୍ଷା ଓ ଖରାପ ପାଣିପାଗ ପରିସ୍ଥିତିରେ ସେମାନଙ୍କୁ ଆଶ୍ରୟ ଦେବାକୁ କହୁଥିଲେ। ସେ ପଶୁଙ୍କ ପ୍ରତି ଦୟାଳୁ ଭାବ ଦେଖାଇବା ପରେ ଦେଶର ଅନେକ ହୋଟେଲ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତାଙ୍କୁ ଅନୁସରଣ କରି ପଶୁଙ୍କ ଯତ୍ନ ନେଇଥିଲେ। ପଶୁଙ୍କୁ ଉଦ୍ଧାର କରି ତାଙ୍କ ଚିକିତ୍ସା କରୁଥିବା ବହୁ ସଂସ୍ଥାକୁ ସେ ସହଯୋଗ କରୁଥିଲେ। 

ଶାନ୍ତ, ଭଦ୍ରତାର ପ୍ରତୀକ
ମୁମ୍ବାଇ: ରତନ ଟାଟା ଜଣେ ଶାନ୍ତ ଓ ଭଦ୍ର ବ୍ୟକ୍ତି ଥିଲେ। ତାଙ୍କ ବ୍ୟବହାର ଓ ଆଚରଣରେ ତାହା ପ୍ରତିଫଳିତ ହେଉଥିଲା। କୌଣସି ସ୍ଥାନରେ ତାଙ୍କୁ ଉତ୍ତେଜିତ ହେବା କିମ୍ବା ଅନ୍ୟ ପ୍ରତି ଖରାପ ବ୍ୟବହାର କରିବା କେବେ କେହି ଦେଖିନାହାନ୍ତି। ନିଜ କମ୍ପାନିର ଛୋଟ ଛୋଟ କର୍ମଚାରୀଙ୍କୁ ମଧ୍ୟ ସେ ଯଥେଷ୍ଟ ସମ୍ମାନ କରୁଥିଲେ। ତାଙ୍କ ସହିତ ମିଶୁଥିଲେ। ସେମାନଙ୍କ ଆବଶ୍ୟକତା ବୁଝୁଥିଲେ ଓ ଯଥାସମ୍ଭବ ସାହାଯ୍ୟ କରୁଥିଲେ। ସଫଳତା କେବଳ ଜଣେ ବ୍ୟକ୍ତି ନୁହେଁ ଅନେକ ଲୋକଙ୍କ ହେବା ଦରକାର। ସେହି ଭାବନା ଉପରେ ଟାଟା ବିଶ୍ବାସ କରୁଥିଲେ। ସେ କହୁଥିଲେ ଯେ କୌଣସି କାମ ଏକାକୀ ଆରମ୍ଭ କର। କିନ୍ତୁ ତାହା ଯେତେବେଳେ ବହୁତ ବଡ଼ ସଫଳତା ପାଇବ ସେଥିରେ ଶହ ଶହ ଲୋକ ଉପକୃତ ହେବା ଦରକାର।

swsfsfsfsf

କାମକୁ ସେ ପୂଜା ଭାବେ ବିଚାର କରୁଥିଲେ। କାମକୁ ସର୍ବଦା ସମ୍ମାନ ଜଣାଇବା ଦରକାର ବୋଲି ସେ କହୁଥିଲେ। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ସେ ପଦକ୍ଷେପ ନେଇଛନ୍ତି। ତାଙ୍କ ଟ୍ରଷ୍ଟ ଛାତ୍ରଛାତ୍ରୀମାନଙ୍କ ଲାଗି ଜେ ଏନ୍ ଟାଟା ଏଣ୍ଡାଓମେଣ୍ଟ, ସାର ରତନ ଟାଟା ସ୍କଲାରସିପ୍ ଓ ଟାଟା ସ୍କଲାରସିପ୍‌ ଆଦି ପ୍ରଦାନ କରୁଛି। ସଦାସିଧା ଜୀବନ ଯାପନ କରୁଥିଲେ ମଧ୍ୟ ରତନ ଟାଟାଙ୍କ କେତେକ ବିଶେଷ ‌ସଉକ ଥିଲା। ‌କାର୍‌ ପ୍ରତି ତାଙ୍କର ଆକର୍ଷଣ ଥିଲା। ପିଆନୋ ବଜାଇବାକୁ ସେ ଭଲ ପାଉଥିଲେ। ବିମାନ ଉଡ଼ାଇବା ମଧ୍ୟ ତାଙ୍କର ଏକ ସଉକ ଥିଲା। ଟାଟା ସନ୍ସରୁ ଅବସର ଗ୍ରହଣ କରିବା ପରେ ଟାଟା କହିଥିଲେ ଯେ ଜୀବନର ବାକି ସମୟଗୁଡ଼ିକରେ ନିଜର ଅପୂରଣୀୟ ସଉକଗୁଡ଼ିକୁ ପୂରଣ କରିବା ଉପରେ ସେ ଧ୍ୟାନ ଦେବେ। 

୩୦ ଲକ୍ଷ କୋଟିର ‘ଟାଟା’ ସା‌ମ୍ରାଜ୍ୟ
ମୁମ୍ବାଇ: ଟାଟା ଗ୍ରୁପ୍‌ର ବ୍ୟବସାୟକୁ ୩୬୫ ବିଲିଅନ ଡଲାର (ପ୍ରାୟ ୩୦.୭ ଲକ୍ଷ କୋଟି ଟଙ୍କା)ରେ ରତନ ଟାଟା ପହଞ୍ଚାଇଥିଲେ। ଟାଟା ଗ୍ରୁପ୍‌ ଅଧୀନରେ ଥିବା ପ୍ରମୁଖ ୩୦ଟି କମ୍ପାନିରେ ୧୦ ଲକ୍ଷରୁ ଅଧିକ ଲୋକ ଚାକିରି କରିଛନ୍ତି। ସେହି କମ୍ପାନିଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲେ ଟାଟା ଷ୍ଟିଲ୍‌, ଟାଟା କନସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌), ଟାଟା ମୋଟର୍ସ, ଇଣ୍ଡିଆନ ‌ହୋଟେଲ୍‌ସ, ଏୟାର ଇଣ୍ଡିଆ, ଜାଗୁଆର ଆଣ୍ଡ୍‌ ଲ୍ୟାଣ୍ଡ ରୋଭର, ଟାଇଟାନ, ତନିସ୍କ, ଇନଫାଇନାଇଟି ରିଟେଲ(କ୍ରୋମା), ଟ୍ରେଣ୍ଟ୍‌ (ୱେ‌ଷ୍ଟସାଇଡ୍‌, ଜୁଡିଓ ଏବଂ ଜାରା) ଆଦି ରହିଛି। ୨୦୦୦ ମସିହାରେ ଟେଟଲିକୁ ଟାଟା ଟି ୪୫୦ ନିୟୁତ ଡଲାରରେ କିଣିଥିବା ବେଳେ ୨୦୦୭ରେ ବିଦେଶୀ ଇସ୍ପାତ କମ୍ପାନି କୋରସ୍‌କୁ ୬.୨ ବିଲିଅନ ପାଉଣ୍ଡ୍‌ରେ ଏବଂ ୨୦୦୮ରେ ଟାଟା ମୋଟର୍ସ ବ୍ରିଟେନର ଜାଗୁଆର ଆଣ୍ଡ ଲ୍ୟାଣ୍ଡରୋଭରକୁ ୨.୩ ବିଲିଅନ ଡଲାରରେ କିଣିଥିଲା।
ଅବିବାହିତ ଥିଲେ ରତନ
ମୁମ୍ବାଇ: ଟାଟା ପରିବାରର ମୁଖିଆ ରତନ ନାଭାଲ ଟାଟା ଅବିବାହିତ ଥିଲେ। ତାଙ୍କ ବାପାଙ୍କ ନାମ ଥିଲା ନାଭାଲ ଟାଟା। ନାଭାଲ ଟାଟାଙ୍କର ବିବାହ ବିଚ୍ଛେଦ ୧୯୪୮ ମସିହାରେ ହେବା ପରେ ୧୧ ବର୍ଷର ହୋଇଥିବା ରତନ ଟାଟାଙ୍କର ଲାଳନପାଳନ ଜେଜେମା ନଭଜବାଇ ଟାଟା କରିଥିଲେ। ୪ ଥର ତାଙ୍କର ବିବାହ ଯୋଜନା ହୋଇଥିଲେ ମଧ୍ୟ  ସେ ବିବାହ କରି ନଥିଲେ। ଅବଶ୍ୟ ଥରେ ସେ ସ୍ବୀକାର କରିଥିଲେ ଯେ ଲସ୍‌ ‌ଏଞ୍ଜେଲେସ୍‌ରେ କାମ କରିବା ସମୟରେ ସେ ପ୍ରେମରେ ପଡ଼ିଥିଲେ। କିନ୍ତୁ ସେତେବେଳେ (୧୯୬୨ ମସିହାରେ) ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଝିଅର ପରିବାର ଝିଅକୁ ଭାରତ ଛାଡ଼ିବାକୁ ରାଜି ହୋଇ ନଥିଲେ। ତେଣୁ ରତନ ଟାଟା ଅବିବାହିତ ରହିଯାଇଥିଲେ।

୩୮୦୦ କୋଟି ସମ୍ପତ୍ତିର ମାଲିକ
ରତନ ଟାଟାଙ୍କ ବ୍ୟକ୍ତିଗତ ସମ୍ପତ୍ତି ୩୮୦୦ କୋଟି ଟଙ୍କା ଆକଳନ କରାଯାଇଛି। ଆଇଆଇଏଫ୍‌ଏଲ୍‌ ହୁରୁନ୍ ଭାରତ ଧନୀ ତାଲିକା ୨୦୨୨ ଅନୁସାରେ ତାଙ୍କ ସମ୍ପତ୍ତି ପରିମାଣ ଏତିକି ଥିଲା। ବିଶ୍ବ ଧନୀ ତାଲିକାରେ ସେ ୪୨୧ତମ ସ୍ଥାନରେ ଥିଲେ। ଟାଟା ଗ୍ରୁପ୍ ଭଳି ଏତେ ବଡ଼ ବ୍ୟବସାୟ ସାମ୍ରାଜ୍ୟର ମାଲିକ ହୋଇଥିଲେ ମଧ୍ୟ ତାଙ୍କର ଏତେ କମ୍ ସମ୍ପତ୍ତି ରହିବା ପଛର କାରଣ ହେଉଛି ସେ ପରୋପକାର କାର୍ଯ୍ୟ ଲାଗି ନିଜର ଅଧିକାଂଶ ସମ୍ପତ୍ତି ଦାନ କରିଛନ୍ତି। ଟାଟା ସନ୍ସ ଅଧୀନରେ ଟାଟା ଗ୍ରୁପ୍ ପରିଚାଳିତ ହେଉଛି। ସେହି ସଂସ୍ଥାରେ ଟାଟା ଟ୍ରଷ୍ଟ୍‌ସ ଅଂଶଧନ ରହିଛି। ରତନ ଟାଟା ନିଜ ଆୟର ୬୬ ପ୍ରତିଶତ ରାଶି ଟାଟା ଟ୍ରଷ୍ଟ୍‌ସକୁ ଦାନ କରୁଛନ୍ତି। ସେହି ଟ୍ରଷ୍ଟ ଶିକ୍ଷା, ସ୍ବାସ୍ଥ୍ୟ ସେବା, ଗ୍ରାମୀଣ ବିକାଶ, ଗବେଷଣା, ହସ୍ତତନ୍ତର ପ୍ରସାର ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। କେବଳ ଲାଭ ନକରି ସାମାଜିକ ଦାୟିତ୍ବବୋଧକୁ ନିର୍ବାହ କରିବା ଉପରେ ସେ ସର୍ବଦା ଗୁରୁତ୍ବ ଦେଉଛନ୍ତି।
ମହାନ୍ ବଦାନ୍ୟ ବ୍ୟକ୍ତି
ରତନ ଟାଟା ହେଉଛନ୍ତି ଦୁନିଆର ଅନ୍ୟତମ ବଦାନ୍ୟ ବ୍ୟକ୍ତି। କେବଳ ଲାଭ ପାଇବା ଆଶାରେ ସେ ବ୍ୟବସାୟ କରୁନଥିଲେ। ସମାଜକୁ ଫେରାଇବା ଉପରେ ସେ ସର୍ବଦା ଗୁରୁତ୍ବ ଦେଉଥିଲେ। ତାଙ୍କର ସେହି ମୂଲ୍ୟବୋଧ ଟାଟା ଗ୍ରୁପ୍‌ର ସମସ୍ତ କମ୍ପାନିରେ ଦେଖିବାକୁ ମିଳେ। ଅତି ସାଧାରଣ ମଣିଷ ଭଳି ଜୀବନଯାପନ କରୁଥିବା ଟାଟାଙ୍କ ଜୀବନର ଅଧିକାଂଶ ସମୟ ପରୋପକାରରେ କଟିଥିଲା। ଟାଟା ସନ୍ସରେ ଥିବା  ୬୫ ପ୍ରତିଶତ ସେୟାର୍‌କୁ ସେ ଦାତବ୍ୟ କାର୍ଯ୍ୟ ଲାଗି ଦାନ କରିଛନ୍ତି। ତାଙ୍କ ସହଯୋଗରେ ଶିକ୍ଷା, ସ୍ବାସ୍ଥ୍ୟ ସେବା, ସାମାଜିକ ବିକାଶମୂଳକ ପ୍ରକଳ୍ପରେ ଅନେକ କାମ ହୋଇଛି।

Leave a Reply

Your email address will not be published. Required fields are marked *