ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ପାରିବାରିକ ପର୍ବରୁ ସାମାଜିକ ମହୋତ୍ସବ

କଟକରେ ଦୁର୍ଗାପୂଜା ଓ ସୁନାଚାନ୍ଦି ମେଢ଼

କଟକ,୦୬-୧୦-୨୦୨୪ (ପିପିଏସ) : ଓଡ଼ିଶାରେ ଦଶହରାରେ ମୃଣ୍ମୟୀ ପୂଜାର ପରମ୍ପରା ଖୁବ୍‌ ଲୋକପ୍ରିୟ। କିନ୍ତୁ ଏହା ସ୍ବକୀୟ ଉତ୍କଳୀୟ ପରମ୍ପରା ନୁହେଁ। ରାଜ୍ୟର ପ୍ରାଚୀନ ସହର କଟକର ବଙ୍ଗୀୟ ଅଧିବାସୀ ଏହାର ମୂଳଦୂଆ ପକାଇଥିଲେ ବୋଲି କୁହାଯାଏ। ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ବଙ୍ଗରେ ଦୁର୍ଗାପୂଜା ଧନୀ ଜମିଦାରଙ୍କ ପାରିବାରିକ ପର୍ବ ଭାବେ ପାଳନ କରାଯାଉଥିଲା। ତେବେ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ବେଳକୁ ଦୁର୍ଗାପୂଜା ଏକ ଗଣପର୍ବରେ ପରିଣତ ହୋଇ ଗୋଷ୍ଠୀଭିତ୍ତିକ ଉତ୍ସବ ଭାବେ ଆଦୃତ ହୋଇଥିଲା। ୧୭୯୦ ମସିହାରେ ତତ୍କାଳୀନ ବଙ୍ଗ ପ୍ରଦେଶର ହୁଗୁଳି ଜିଲ୍ଲାରେ ପ୍ରଥମ ଥର ପାଇଁ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଥିଲା। ଏହାକୁ ସ୍ଥାନୀୟ ଭାଷାରେ ‘ବାରୋବାରୀ ପୂଜା’ କୁହାଯାଉଥିଲା। ‘ବାରୋବାରୀ’ ଶବ୍ଦଟି ବାରୋ (୧୨ ଜଣ) ଏବଂ ୟାରି (ବନ୍ଧୁ) ରୁ ଆସିଛି। ବାରଜଣ ବନ୍ଧୁ ଜଣେ ଜମିଦାରଙ୍କ ଦାସତ୍ବରୁ ମୁକ୍ତ ହୋଇ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରିଥିଲେ। ସାମୂହିକ ପୂଜାର ଏହି ପରିକଳ୍ପନା ସେ ସମୟରେ ବୈପ୍ଳବିକ ଥିଲା ଏବଂ ସାର୍ବଜନୀନ ଉତ୍ସବ ପାଳନର ମୂଳଦୁଆ ପକାଇଥିଲା। ପରେ ଏହି ଧାରା ସମଗ୍ର ବଙ୍ଗଳା ଓ ବଙ୍ଗୀୟମାନଙ୍କ ଦ୍ବାରା ବାହାର ରାଜ୍ୟକୁ ପ୍ରସାରିତ ହୋଇଥିଲା।  

ଏହାପରେ କୋଲ୍‌କାତାର ଶୋଭାବଜାର ରାଜବାଡ଼ିର ଜଣେ ପ୍ରଭାବଶାଳୀ ଜମିଦାର ରାଜା ନବକୃଷ୍ଣ ଦେବ ସମ୍ଭ୍ରାନ୍ତ ପରିବାରର ପରିଧିରୁ ଊର୍ଦ୍ଧ୍ୱକୁ ଆସି ସାର୍ବଜନୀନ ଦୁର୍ଗାପୂଜାକୁ ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୭୫୭ରେ ପଲାସି ଯୁଦ୍ଧରେ ବ୍ରିଟିସ୍‌ ବିଜୟ ପରେ ନବକୃଷ୍ଣ ଦେବ ତାଙ୍କ ଦୁର୍ଗାପୂଜା ଉତ୍ସବକୁ ରବର୍ଟ କ୍ଲାଇଭ୍‌ଙ୍କ ସମେତ କେତେକ ବ୍ରିଟିସ୍‌ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରି ଭାରତୀୟ ପରମ୍ପରା ଓ ଉପନିବେଶିକ ପ୍ରଭାବର ଏକ ମିଶ୍ରଣ ସୃଷ୍ଟି କରିଥିଲେ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ସ୍ୱାମୀ ବିବେକାନନ୍ଦଙ୍କ ମାର୍ଗଦର୍ଶନରେ ରାମକୃଷ୍ଣ ମିସନ୍ ମଧ୍ୟ ଦୁର୍ଗାପୂଜାକୁ ବ୍ୟାପକ ଓ ସାର୍ବଜନୀନ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଜଣାଯାଏ। ରାମକୃଷ୍ଣ ମିସନ୍ ମାଧ୍ୟମରେ ଦୁର୍ଗାପୂଜା ଜାତୀୟତାବାଦୀ ଚେତନା ଓ ସାଂସ୍କୃତିକ ପରିଚୟ ସହ ଯୋଡ଼ି ହୋଇ ସମାଜସେବା ଓ ଜନକଲ୍ୟାଣ ଉପରେ ଗୁରୁତ୍ୱାରୋପ କରିଥିଲା। ସ୍ୱାମୀ ବିବେକାନନ୍ଦ ନିଜେ ୧୯୦୧ ମସିହାରେ ବେଲୁର ମଠରେ ଦୁର୍ଗାପୂଜା କରିଥିଲେ ଏବଂ ଏହି ଉତ୍ସବକୁ ଉଭୟ ଆଧ୍ୟାତ୍ମିକ ଏବଂ ପାରମ୍ପରିକ କାର୍ଯ୍ୟକ୍ରମ ଭାବେ ଅଭିହିତ କରାଇଥିଲେ।

କଟକରେ ଦୁର୍ଗାପୂଜା ଓ ସୁନାଚାନ୍ଦି ମେଢ଼
ପଡ଼ୋଶୀ ପଶ୍ଚିମବଙ୍ଗର ଅଧିବାସୀ ଓଡ଼ିଶାର ପୁରୁଣା ରାଜଧାନୀ କଟକରେ ଅବସ୍ଥାନ କରିବା ପରେ ଧୀରେ ଧୀରେ ସାର୍ବଜନୀନ ଦୁର୍ଗାପୂଜା ସେଠାରେ ପ୍ରସାର ଲାଭ କରିଥିଲା। ଶୁଣିବାକୁ ମିଳେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମାଆ ପୁତ୍ର ସନ୍ତାନ ଲାଭ ଲାଗି ମା’ ଦୁର୍ଗାଙ୍କ ନିକଟରେ ମାନସିକ କରିଥିଲେ। ଏହି ମାନସିକ ସ୍ୱରୂପ ନେତାଜୀ ସୁଭାଷ ଜନ୍ମ ହେବା ପରେ ତାଙ୍କ ପରିବାରରେ ସାର୍ବଜନୀନ ଦୁର୍ଗାପୂଜା ପାଳନ କରାଯାଇଥିଲା। ଆଜି ବି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଘରେ ସେହି ପୂଜା ମଣ୍ଡପ ରହିଛି। ତେବେ କଟକର ବାଲୁବଜାର ଅନ୍ତର୍ଗତ ବିନୋଦବିହାରୀ ଦୁର୍ଗାପୂଜା ବହୁ ପ୍ରାଚୀନ ବୋଲି କୁହାଯାଏ। ଅନ୍ୟପକ୍ଷରେ ଚୌଧୁରୀ ବଜାରରେ ଦୁର୍ଗାପୂଜା ଓ ଚାନ୍ଦିମେଢ଼ ସଂସ୍ଥାପନ ୧୯୫୬ ମସିହାରେ ହେବାର ଇତିହାସ କଟକ ଦୁର୍ଗାପୂଜାର ପ୍ରାଚୀନତା ଏବଂ ସମୃଦ୍ଧ ଇତିହାସ ବୟାନ କରେ।

ସମୟ ସହିତ ତାଳ ଦେଇ କଟକର ଇତିହାସ ପ୍ରସିଦ୍ଧ ଦୁର୍ଗାପୂଜା ଏବେ ସମଗ୍ର ଦେଶରେ ଭିନ୍ନ ପରିଚିତି ହାସଲ କରିଛି। ଏକଦା କେବଳ ଚୌଧୁରୀ ବଜାରରେ ଚାନ୍ଦିମେଢ଼ ଥିବା ବେଳେ ବର୍ତ୍ତମାନ କଟକ ଚାନ୍ଦିମେଢ଼ର ସହର ପାଲଟିଛି। ଏତିକିରେ ଅଟକି ଯାଇନାହିଁ କଟକ। ଆଉ ଏକ ପାଦ ଆଗକୁ ଯାଇ ଇତିମଧ୍ୟରେ କଟକର ୯ଟି ପୂଜା ମଣ୍ଡପରେ ମା’ ଦୁର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କ (ଗଣେଶ, କାର୍ତ୍ତିକ, ସରସ୍ବତୀ ଓ ଲକ୍ଷ୍ମୀ) ମୁକୁଟ ସଙ୍ଗକୁ ଗହଣା ସବୁ ସୁନାରେ ଗଢ଼ା ହୋଇଛି। ସେହିପରି ଚୌଧୁରୀ ବଜାର, ଶେଖ୍‌ ବଜାର ଓ ମଙ୍ଗଳାବାଗ ନିଜର ଦୁର୍ଗାମେଢ଼ ସୁନାରେ କରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରତି ବ‌ର୍ଷ ଦଶହରାରେ ବ୍ୟବହାର ହେଉଥିବା ସୁନାମୁକୁଟ, ଅଳଙ୍କାର ଓ ମେଢ଼ରେ ବ୍ୟବହୃତ ସୁନାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୂଜା କମିଟିମାନେ ନିଜସ୍ୱ ଲକର୍‌ରେ ସୁରକ୍ଷିତ କରି ରଖିଥାଆନ୍ତି। ଏଥିଲାଗି ୨୪ ଘଣ୍ଟିଆ ସୁରକ୍ଷା କର୍ମୀ, ସାଇରନ୍ ଓ  କ୍ୟାମେରା ଖଞ୍ଜା ଯାଇଛି। ଚୌଧୁରୀ ବଜାର ପୂଜା କମିଟିର ସମ୍ପାଦକ ପୂର୍ଣ୍ଣ ସିଂ କହନ୍ତି, ‘‘ଭକ୍ତମାନେ ଏହିସବୁ ସୁନା ଦାନ କରିଛନ୍ତି। ମା’ଙ୍କ ସମ୍ପତ୍ତିର ସୁରକ୍ଷାରେ କେବେ ଆଞ୍ଚ ଆସିନି। କିଲୋ କିଲୋ ଓଜନର ସୁନାଗହଣା ସବୁର ‘ଇନ୍ସୁରାନ୍ସ’ କରିବା ସମ୍ଭବ ନୁହେଁ। ଏଥିପାଇଁ ଆଜି ସୁନାଚାନ୍ଦି ତାରକସି ସହର କଟକର ଦୁର୍ଗାପୂଜା ଭାରତରେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଏଭଳି ଅଳଙ୍କାରପୂର୍ଣ୍ଣ ଦୁର୍ଗାମଣ୍ଡପ ଭାରତରେ ଅନ୍ୟତ୍ର ଦେଖିବାକୁ ମିଳେନାହିଁ।’’

ସେହିପରି ଆଧୁନିକତାକୁ ଆପଣାଉଥିବା ଦୁର୍ଗାପୂଜାର ଅନନ୍ୟ ଆକର୍ଷଣ ହେଉଛି ତୋରଣ ସାଜସଜ୍ଜା । ଆଜିକାଲିର ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିପଦ ସଂକ୍ରାନ୍ତ ସଚେତନତା ସୃଷ୍ଟି ଲାଗି ତୋରଣ ନିର୍ମାଣ ହେଉଛି। ଏହିସବୁ ତୋରଣରେ ଝୋଟ, ବାଉଁଶ, କନା ଭଳି ସହଜରେ ମାଟିରେ ମିଶିପାରୁଥିବା ସାମଗ୍ରୀ ବ୍ୟବହାର କରାଯାଉଛି। ଦୁର୍ଗାପୂଜା ମାଧ୍ୟମରେ ସାମାଜିକ ସମସ୍ୟା ସମାଧାନ କରିବାର ସଚେତନତା ମନ୍ତ୍ର ଦିଆଯାଉଛି ବୋଲି କହନ୍ତି ଚାଉଳିଆଗଞ୍ଜ ପୂଜା କମିଟିର ସଂପାଦକ ନିରଞ୍ଜନ ସାହୁ। 

Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

Leave a Reply

Your email address will not be published. Required fields are marked *