ପାକିସ୍ତାନରେ ହେବ ଦକ୍ଷିଣ ଏସୀୟ କ୍ରୀଡ଼ା, ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା
ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ପରେ ପାକିସ୍ତାନରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୪ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ବର୍ଷ ଏପ୍ରିଲ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱରରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ।
ଏହି ସଂସ୍କରଣରେ ୨୮ଟି କ୍ରୀଡ଼ାରେ ମୋଟ ୩୪୬ଟି ପଦକ ପାଇଁ ପ୍ରତିଯୋଗିତା ହେବ। ଆୟୋଜକ ପାକିସ୍ତାନ ସମେତ ଦକ୍ଷିଣ ଏସିଆର ବାଂଲାଦେଶ, ମାଲଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର କ୍ରୀଡ଼ାବିତ୍ମାନେ ଏଥିରେ ଅଂଶଗ୍ରହଣ କରିବେ।
ତେବେ ପ୍ରତିଯୋଗିତାରେ ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି ରହିଛି। ରବିବାର କରାଚିରେ ଦକ୍ଷିଣ ଏସୀୟ ଦେଶମାନଙ୍କ କ୍ରୀଡ଼ା ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତୀୟ ପ୍ରତିନିଧି ଆଭାସୀ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇଥିଲେ।
ବୈଠକରେ ଭାରତ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଅଂଶ ନେବାକୁ ଇଚ୍ଛୁକ ବୋଲି ପାକିସ୍ତାନର ଜଣେ ଅଧିକାରୀ ଦାବି କରିଛନ୍ତି। ତେବେ ଭାରତ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସମ୍ମତି ମିଳିନାହିଁ।
ଗତ ମେ’ ମାସରେ ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଦଳକୁ ପାକିସ୍ତାନରେ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାକୁ ନ ପଠାଇବା ନେଇ ମତ ଦିଆଯାଇଥିଲା। ଏହି କାରଣରୁ ଏବେ ଭାରତ ଅଂଶଗ୍ରହଣ କରିବ କି ନାହିଁ, ତାହା ନେଇ ଚର୍ଚ୍ଚା ଜୋର ଧରିଛି।
ଦୀର୍ଘ ବ୍ୟବଧାନ ପରେ ପାକିସ୍ତାନ ଦକ୍ଷିଣ ଏସୀୟ କ୍ରୀଡ଼ା ଆୟୋଜନ କରୁଥିବାରୁ ପ୍ରତିଯୋଗିତାକୁ ନେଇ ଉତ୍ସାହ ରହିଛି। ତେବେ ଭାରତ-ପାକିସ୍ତାନ ସମ୍ପର୍କର ତିକ୍ତତା ମଧ୍ୟରେ ଭାରତୀୟ କ୍ରୀଡ଼ା ଦଳ ଏଥିରେ ଅଂଶ ନେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
