ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ବାପାଙ୍କଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ଘର | ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ୬ ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର । ପୂର୍ବ ବିଜେଡ଼ି ସରକାରକୁ କଡ଼ା ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ | ଏହି ପ୍ରକ୍ରିୟାରେ ୨୦ ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମିଳିବ ଘର |

ହିତାଧିକାରୀ ଚିହ୍ନଟରେ ତ୍ରୁଟି ରହିଲେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସି ସି ସି ସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ । ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ପୂର୍ବ ସରକାର ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହେଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । ସର୍ବଭାରତୀୟ ସ୍ତରରେ ୨୦୧୭-୧୮ ମସିହାରେ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା ।

କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ତେଣୁ ବଞ୍ଚିତ ହୋଇଥିବା ଗରିବ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ୬ ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ ଦେବେ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ପିଇଓମାନେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ରହିବେ । ତେଣୁ ଯଦି ଚିହ୍ନଟ ପ୍ରକ୍ରିୟାରେ କୌଣସି ତ୍ରୁଟି ହେବ, ତେବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରି ପ୍ରତି ବ୍ଲକକୁ ଦିଆଯାଇଛି । ଏହି ପ୍ରକ୍ରିୟାରେ ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । ପୂର୍ବ ସରକାରରେ ଜଣେ ଲୋକ ୩ଟି ପର୍ଯ୍ୟନ୍ତ ଘର ପାଉଥିଲେ । ତେଲିଆ ମୁଣ୍ଡରେ ତେଲ ଦିଆଯାଉଥିଲା । କିନ୍ତୁ ବିଜେପି ସରକାର ଯୋଗ୍ୟଙ୍କୁ ଚିହ୍ନଟ କରି ଘର ଦେବ । ଭୂମିହୀନମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଳଷ୍ଟର କରୁଛନ୍ତି ସରକାର ।

ଗୋଟିଏ ଗାଁରେ ଯଦି ୧୫ଟି ପରିବାର ବାହାରୁଛି, ଆଉ ତାଙ୍କ ପାଖରେ ଘର କରିବା ପାଇଁ ୪ ଡିସିମିଲ ଜାଗା ନାହିଁ । ତେବେ ସେମାନଙ୍କୁ ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି ୧ ଵିଏଚକେ, ୨ ଵିଏଚକେ ମାନର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ । 

Leave A Reply

Your email address will not be published.