ଆପାର୍ଟମେଣ୍ଟରୁ ୩୦ ଭରି ସୁନା ଲୁଟ୍
1 min read

ଆପାର୍ଟମେଣ୍ଟରୁ ୩୦ ଭରି ସୁନା ଲୁଟ୍

କଟକ/ ୧୪-୦୯-୨୦୨୪(ପିପିଏସ): ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମ ନିକଟ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଘରୁ ୩୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପଛପାଖ ଜଙ୍ଗଲିଆ ଅଞ୍ଚଳରୁ ପାଚେରି ଡେଇଁ ଭିତରେ ପଶି ଲୁଟ୍‌ କରିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି।ଚୋରି ହୋଇଥିବା ଘରଟି ଆପାର୍ଟମେଣ୍ଟର ବି’ ବ୍ଲକ୍ ୨୦୪ ନମ୍ବର ଘରେ ଜଗଦଲପୁର ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀ ଦିଲ୍ଲୀପ କୁମାର ମହାପାତ୍ର ଓ ତାଙ୍କ ପତ୍ନୀ ମୀନାକ୍ଷୀ ମହାପାତ୍ରଙ୍କର। ସେମାନେ ଅଧିକାଂଶ ସମୟ କର୍ମକ୍ଷେତ୍ରରେ ରହନ୍ତି ଓ ମଝିରେ ମଝିରେ ଆପାର୍ଟମେଣ୍ଟରେ ଆସି ରହନ୍ତି। ଜଣେ ସମ୍ପର୍କୀୟ ଆସି ଘରର ଦେଖାରଖା କରି ଚାଲିଯାଆନ୍ତି। ସବୁଦିନ ଭଳି ଘର ସଫେଇ ଦାୟିତ୍ୱରେ ଥିବା ଜଣେ ମହିଳା ଆଜି ସଫେଇ କରିବାକୁ ଆସି ଘରର ତାଲା ତଳେ ପଡ଼ିଥିବା ଓ ଗ୍ରିଲ୍‌ର କୁହୁଣ୍ଡା ଭଙ୍ଗାଯାଇ ମେଲାଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ପଡୋଶୀ ପଣ୍ଡା ଦମ୍ପତିଙ୍କୁ ଡାକି କହିଥିଲେ। ସେମାନେ ପୂର୍ବଦିନ ରାତି ୧୧ଟା ୩୦ ପର୍ଯ୍ୟନ୍ତ ଚେଇଁଥିଲେ ବି କିଛି ଜାଣିପାରି ନଥିବା କହିଥିଲେ। ସୋସାଇଟିର ରାତ୍ରି ଜଗୁଆଳିଙ୍କୁ ଡାକି ଦେଖାଇବାରୁ ସେ ମଧ୍ୟ କିଛି ଜାଣି ନଥିବା କହିଥିଲେ। ଚୋରି ସମ୍ପର୍କରେ ଘର ମାଲିକଙ୍କୁ ସୂଚନା ଦେବାରୁ ସେମାନେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ବାରଙ୍ଗ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ବେଳେ ଘର ଭିତରେ ଥିବା ଆଲମିରାର କବାଟ ଓ ତାଲା ଭାଙ୍ଗି ସେଥିରେ ଥିବା ଏକ ଲକର୍‌କୁ ଚୋରମାନେ ସମସ୍ତ ସୁନା(୩୦ଭରି) ଅଳଙ୍କାର ଚୋରି କରି ନେଇଥିବା ଜଣାପଡିଛି। ଏହି ଆପାର୍ଟମେଣ୍ଟରେ ୩୨ଟି ପରିବାର ରହନ୍ତି।

ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମ ନିକଟ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଘରୁ ୩୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପଛପାଖ ଜଙ୍ଗଲିଆ ଅଞ୍ଚଳରୁ ପାଚେରି ଡେଇଁ ଭିତରେ ପଶି ଲୁଟ୍‌ କରିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି।

ଆପାର୍ଟମେଣ୍ଟର ସିସି ଟିଭି କ୍ୟାମେରାର ଭିଡିଓ ଯାଞ୍ଚ କରିବାରେ ଦେଖା ଯାଇଥିଲା ଯେ ରାତି ୨. ୩୯ ମିନିଟ୍‌ରେ ୪ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ପଛପାଖ ଜଙ୍ଗଲିଆ ବାଟରେ ପାଚେରି ଚଢି ଆପାର୍ଟମେଣ୍ଟ ପରିସରକୁ ଓ ପରେ ଉକ୍ତ ଘରକୁ ପଶିଲେ। ଚୋରି କରି ସାରିବା ପରେ ସେମାନେ ରାତି  ୩ଟା ୨୪ ମିନିଟ୍‌ରେ ଚୋରି ସାମଗ୍ରୀ ଧରି ପୁଣି ସେଇ ପାଚେରି ଡେଇଁ ପଳାଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ପ୍ରବେଶ ଫାଟକ ଠାରୁ ଘର ଭିତର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରୁ ଆଙ୍ଗୁଳି ଚିହ୍ନ ସଂଗ୍ରହ କରି ନେବା ସହ ଘରକୁ ଦେଖାରଖା କରୁଥିବା ସମ୍ପକୀୟଙ୍କ ଅଙ୍ଗୁଳି ଚିହ୍ନ ସଂଗ୍ରହ କରିଛି। ବାରଙ୍ଗ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *