ଲକ୍ଷ୍ନୌରେ ଭୁଷୁଡ଼ିଲା ୩ମହଲା କୋଠା : ୪ ମୃତଦେହ ଉଦ୍ଧାର, ୨୮ ଜଣ ଗୁରୁତର
1 min read

ଲକ୍ଷ୍ନୌରେ ଭୁଷୁଡ଼ିଲା ୩ମହଲା କୋଠା : ୪ ମୃତଦେହ ଉଦ୍ଧାର, ୨୮ ଜଣ ଗୁରୁତର

ଲକ୍ଷ୍ନୌ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଗୋଟିଏ ୩ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ିବା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଆଉ ୨୮ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏହାବାଦ ଏବେ ବି ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଘଟଣା ସମ୍ପର୍କରେ ଲକ୍ଷ୍ନୌ ପୁଲିସ କମିଶର ରୋଶନ ଜ୍ୟାବକ କହିଛନ୍ତି ଯେ ଏଯାଏ ୪ଟି ମୃତଦେହ ମିଳିଥିବା ବେଳେ ଧ୍ୱଂସାବଶେଷ ତଳୁ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠା ନିକଟରେ ଥିବା ଆଉ ଗୋଟିଏ ବିଲଡିଂ ଓ ଦୋକାନ ଘର ମଧ୍ୟ ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍‌ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସାବଶେଷ ତଳେ ଟ୍ରକଟି ପୋତି ହୋଇଯାଇଛି।

ଉକ୍ତ ବିଲଡିଂକୁ ଗୋଦାମ ଭାବେ ବ୍ୟବହାର କରାଯାଉଥିଲା। ଏଠାରେ କାମ ଚାଲିଥିବା ବେଳେ ସନ୍ଧ୍ୟା ୫ଟାରେ ଏପରି ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ କର୍ମଚାରୀ, ପୁଲିସ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ନିକଟସ୍ଥ ହସ୍ପିଟାଲରେ ଚାଲିଥିବା ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସମୀକ୍ଷା କରିବା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରି ଲକ୍ଷ୍ନୌର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଫୋନରେ କଥା ହୋଇଛନ୍ତି।

Leave a Reply

Your email address will not be published. Required fields are marked *