ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଓଡ଼ିଶାରୁ ଦୁବାଇ ଗଲା ଡ୍ରାଗନ୍‌

ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ) : ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି। ବଲାଙ୍ଗିର ଜିଲାର ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଫାର୍ମରେ ହୋଇଥିବା ଏହି ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ, କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଫଳପ୍ରଦ ହୋଇଛି ଏବଂ ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇ ପଠାଯାଇଛି। ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ। ଡ୍ରାଗନ ଫଳର ଚାହିଦା ବିଦେଶରେ ବହୁତ ଅଧିକ। ଏହି ଡ୍ରାଗନ ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି। ଯାହାଦ୍ୱାରା ଫଳର ପୌଷ୍ଟିକ ତତ୍ତ୍ୱ ଅକ୍ଷୁଣ୍ଣ ରହିବା ସହ ଅନ୍ୟ ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ। ଡ୍ରାଗନ ଫଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକାରୀ। ଏହାର ସେବନ ଦ୍ୱାରା ଶରୀରରେ କ୍ୟାନ୍‌ସର୍‌, ଡାଇବେଟିସ, କୋଷ୍ଠକାଠିନ୍ୟ ଭଳି ବେମାରୀର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ସିଂହଦେଓ କହିଥିଲେ। ପୂର୍ବରୁ ଢେଙ୍କାନାଳର ଆମ୍ବ, ବଲାଙ୍ଗିରର ପୋଟଳ ବିଦେଶ ଯାଇସାରିଛି। ଆଗାମୀ ଦିନରେ ଓଡ଼ିଶାରୁ ଉନ୍ନତ ମାନର କୃଷି ଉତ୍ପାଦ ବଡ଼ ଆକାରରେ ବିଦେଶକୁ ରପ୍ତାନୀ କରାଯିବା ଲକ୍ଷ୍ୟ ରହିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ। ଉଦ୍ୟାନ କୃଷି ନିର୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ‘ଆପେଡ଼ା’ ଓ ‘ପାଲାଡିୟମ୍‌’ର ସୀତାକାନ୍ତ ମଣ୍ଡଳ, ବିଶ୍ୱଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *