ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ବେଆଇନ ମଦ, ଗଞ୍ଜେଇ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

କଳାହାଣ୍ଡି /ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦେଶୀ ବିଦେଶୀ ମଦ ପ୍ରଭାବ​ରେ ପରିବାର ମଧ୍ୟରେ ଗଣ୍ଡଗୋଳ। ଗାଁ ଗାଁରେ ଅଶାନ୍ତି। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଅବକାରୀ ବିଭାଗର ହାତ ଖାଲି। ଯେତେବେଳେ କୌଣସି ଅଭିଯୋଗ ହୁଏ କାଁ ଭାଁ କିଛି ମଦ କୋଠି ଉପରେ ଚଢାଉ କରି ନିଜର କାର୍ଯ୍ୟ ସମ୍ପାଦିତ କରୁଛନ୍ତି। କଲମପୁର ବ୍ଲକ ଅଞ୍ଚଳରେ ଅନେକ ଦୋକାନରେ ବିଦେଶୀ ମଦ ବିକ୍ରି ହେଉଥିବାବେଳେ ପ୍ରତ୍ୟେକ ଗାଁରେ ଏକାଧିକ ଦେଶୀ ମଦ କୋଠି ରହିଛି। ଏହାସହ ଅନେକ ସ୍ଥାନରେ ବେଆଇନ ଭାବେ ମଦ ରନ୍ଧା ଯାଉଛି, ଯଦ୍ଵାରା ନାବାଳକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ତେଣୁ ଅନ୍ୟ ଉପାୟ ନପାଇ ବେଆଇନ ମଦ କାରବାର ବନ୍ଦ ନେଇ ରାଜରାସ୍ତାରେ ମହିଳା। ବୁଧବାର ପାତ୍ରବାସାଠାରେ ବେଆଇନ ମଦ, ଗଞ୍ଜେଇ ସମେତ ଜୁଆ ଖେଳ ବନ୍ଦ କରିବା ନେଇ ଗାଁ ମହିଳା ଗାଁ କମିଟିର ଦ୍ୱାରସ୍ଥ ହୋଇଥିଲେ। ତୁରନ୍ତ ଗାଁ କମିଟି ଗାଁରେ ବେଆଇନ ଭାବେ ଚାଲିଥିବା ଦେଶୀ ବିଦେଶୀ ମଦ, ଗଞ୍ଜେଇ ଏବଂ ଜୁଆ ଖେଳ ବନ୍ଦ କରିବା ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଗାଁ କମିଟି ସଭାପତି ସୁମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ସୁଧିର ରାଉତଙ୍କ ସଂଯୋଜନାରେ ଗାଁ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ ଲୀଳା ଦଣ୍ଡସେନା, ଲଳିତା ମାଝୀ, ହେମଲତା ନିଆଲ, ହୀରା ବାଗ, ପ୍ରଭାତୀ ସେଠୀ, ସସ୍ମିତା ଧଙ୍ଗଡ଼ାମାଝୀ ପ୍ରମୁଖଙ୍କ ସମେତ ଶତାଧିକ ମହିଳାଅ ଯୋଗ ଦେଇ ମଦ ପାଇଁ ଘରୋଇ ଗଣ୍ଡଗୋଳ ହେଉଥିବା ଅଭିଯୋଗ କରିବା ସହ ତୁରନ୍ତ ବନ୍ଦ କରିବା ନେଇ ଗାଁ କମିଟି ପକ୍ଷରୁ ପଦକ୍ଷେପ ନେବାକୁ ଜଣାଇଥିଲେ। ଏହାସହ ମହିଳାମାନେ ମଦ ବନ୍ଦ ନେଇ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Leave a Reply

Your email address will not be published. Required fields are marked *