- ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା
- ୩୫ ଗ୍ରାମର ସୁନା ଅଳଙ୍କାର ସହିତ ଏକାଧିକ ଘର ଓ ପ୍ଲଟ
ରାୟଗଡ଼ା/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବେହୋସ ହୋଇଯାଇଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି। ଏହା ସହିତ ତାଙ୍କର ଏକାଧିକ ପ୍ଲଟ ଠାବ କରାଯାଇଛି। ରାୟଗଡ଼ାରେ ଶ୍ରୀ ଚୌଧୁରୀଙ୍କର ୪ଟି ପ୍ଳଟ ଥିବା ବେଳେ ଟିକିରିରେ ଗୋଟିଏଅଛି। ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ତାଙ୍କର ପ୍ଲଟ ଥିବା ଜଣାପଡ଼ିଛି l

ଗତକାଲି ଜଣେ ଗାଁ ସାଥୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ହାତରେ ଧରାପଡ଼ିବା ମାତ୍ରେ ସେ ଚେତା ହରାଇଥିଲେ ବୋଲି ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ରାୟଗଡ଼ା ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।
ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା ଘଟଣାର ଅଧିକ ତଦନ୍ତ କରୁଛନ୍ତି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ସୁସ୍ଥ ହେବାପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ପଚରାଉଚୁରା କରିବ ଭିଜିଲାନ୍ସ ।













Leave a Reply