ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ କ୍ରୀଡା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ଯରେ ଜାତୀୟ କ୍ରୀଡ଼ା ଦିବସ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ସକାଳ ୭ଟାରେ ଲଗାଣ ବର୍ଷା ସତ୍ତ୍ୱେ ଭିଏସ୍ଏସ୍ ଷ୍ଟାଡିୟମରୁ ଲକ୍ଷ୍ମୀ ଟକିଜ୍ ଛକ ପର୍ଯ୍ୟନ୍ତ ଗୋଟିଏ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀ ବେଦଭୂଷଣ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ହକିର ୱାୟିଜାର୍ଡ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବଲପୁର ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନର ପତାକା ଦେଖାଇ ମାରାଥନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଲେ l ମାରାଥନରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ, ଏନସିସି କ୍ୟାଡେଟ୍, ଡିଫେନ୍ସ ଏକାଡେମୀ, ମା’ ସମଲେଶ୍ୱରୀ କିକ୍ ବକ୍ସିଂ କ୍ଲବ୍ ସମେତ ଅନ୍ୟ କ୍ରୀଡ଼ା ସଂଘ ଓ କ୍ରୀଡ଼ା କ୍ଲବର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ବାଳକ ବର୍ଗରେ ହିମାଂଶୁ ମାଝୀ, ଜିଙ୍ଗା ଲାକ୍ରା ଓ ସୁମିତ ଭୋଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଳିକା ବର୍ଗରେ ନିତୁ କେଓ୍ଵତ, ମାଲି ମୁଣ୍ଡା ଓ ଜିଜ୍ଞାନ ସିଂହ ଜଗଦଲା ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ମାରାଥନର ବିଜେତାଙ୍କୁ ମୋମେଣ୍ଟୋସ୍ ପ୍ରଦାନ କରାଯାଇଥିଲା। ଶେଷରେ ସମ୍ବଲପୁର ଡିଏସ୍ଓ ଡ.ସତ୍ୟନାରାୟଣ ତାଣ୍ଡି ସମସ୍ତ ଅଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆନ୍ତରିକ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବଲପୁରର ୪ସି ପଡ଼ିଆରେ ଉତ୍କଳ ସଂଘ ଓ ଆଦିବାସୀ କ୍ଲବ ମଧ୍ୟରେ ଦିନର ଅପରାହ୍ନ ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମହିଳା ଫୁଟ୍ ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ ଅତିଥି ଭାବେ ଯୋଗଦେଇ ଫୁଟବଲ୍ ମ୍ୟାଚ୍ କୁ ଉଦ୍ ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍କଳ ସଂଘ ୩:୧ ଗୋଲରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଆଦିବାସୀ କ୍ଲବର ମାଳି ମୁଣ୍ଡା, ଉତ୍କଳ ସଂଘର ପ୍ରମିଳା ମୁଣ୍ଡା, ଦୀପାଳି ମୁଣ୍ଡା ଓ ପ୍ରିୟା ଓରାମ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ହକି ପ୍ରଶିକ୍ଷଣ କେନ୍ଦ୍ର, ଜୁଜୁମୁରା ଓ ଘନସରାରେ ଆଗାମୀ ଦିନରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହେବ। ଉକ୍ତ ସପ୍ତାହରେ ଜିଆଇଏଚ୍, ସମ୍ବଲପୁର, ଏମପିଆଇଏସ୍ କୁଚିଣ୍ଡା ଓ ବିପିଆଇଏସ୍ ବୁର୍ଲାରେ ବ୍ୟାଡମିଣ୍ଟନ ମ୍ୟାଚ୍ ଆୟୋଜନ କରାଯିବ।

Leave A Reply

Your email address will not be published.