ଜନ୍ମାଷ୍ଟମୀରେ ୫୦୦ କୋଟି ବେପାର: ଦେଶରେ ୨୫ ହଜାର କୋଟି
1 min read

ଜନ୍ମାଷ୍ଟମୀରେ ୫୦୦ କୋଟି ବେପାର: ଦେଶରେ ୨୫ ହଜାର କୋଟି

ଭୁବନେଶ୍ବର/ନୂଆଦିଲ୍ଲୀ/୨୮-୦୮-୨୪(ପିପିଏସ): ଚଳିତ ବର୍ଷ ଜନ୍ମାଷ୍ଟମୀକୁ ବଡ଼ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଉତ୍ସବକୁ ମିଷ୍ଟାନ୍ନ, ପିଠା, ପୋଷାକ ଆଦି ଜରିଆରେ ପାଳନ କରାଯାଉଥିବାରୁ ସେହି ବ୍ୟବସାୟୀମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଓଡ଼ିଶା ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ଜନ୍ମାଷ୍ଟମୀରେ ରାଜ୍ୟରେ ୫୦୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆଶା କରାଯାଉଛି। ବିଶେ‌ଷ କରି ମିଷ୍ଟାନ୍ନ, ଫୁଲ ଓ ଫଳ, ରେଡ‌ିମେଡ୍‌ ଫେସନ ଅଳଙ୍କାର ଏବଂ ପିଲାମାନଙ୍କୁ ରାଧା ଓ କୃଷ୍ଣଙ୍କ ବେଶରେ ସଜେଇବା ଲାଗି ପୋଷକ, ଭଗବାନଙ୍କ ଛୋଟ ମୂର୍ତ୍ତି ଆଦି ଅଧିକ ମାତ୍ରାରେ ବିକ୍ରି ହୋଇଛି।  ଅନ୍ୟ ପକ୍ଷରେ, ଜନ୍ମାଷ୍ଟମୀରେ ସାରା ଦେଶରେ ୨୫ ହଜାର କୋଟି ଟଙ୍କାର କାରବାର ହୋଇଛି। ସିଏଆଇଟିର ଜାତୀୟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ଜନ୍ମାଷ୍ଟମୀରେ ସାରା ଦେଶରେ ଫୁଲ, ଫଳ, ମିଷ୍ଟାନ୍ନ, ଭଗବାନଙ୍କ ପୋଷାକ, ଶୃଙ୍ଗାର ସାମଗ୍ରୀ, ବ୍ରତ, ଦୁଗ୍ଧ ଓ ଦହି, ଲହୁଣୀ ଓ ଡ୍ରାଇ ଫ୍ରୁଟ୍‌ ବିପୁଳ ପରିମାଣରରେ ବିକ୍ରି ହୋଇଛି। ଏଭଳି ଉତ୍ସବ ଅର୍ଥନୀତି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହା ଦ୍ବାରା ଅର୍ଥନୀତି ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି। ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ସି ଭରତିୟା କହିଛନ୍ତି ଯେ ସାରା ଦେଶରେ ଜନ୍ମାଷ୍ଟମୀକୁ ବଡ଼ ଉତ୍ସାହର ସହ ପାଳନ କରାଯାଉଛି। ବିଶେଷ କରି ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ଏହାକୁ ବଡ଼ ଆକାରରେ ପାଳନ କରାଯାଏ। ସାମାଜିକ ସଂଗଠନଗୁଡ଼ିକ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 

କିଛି ଦିନ ପୂର୍ବେ ପାଳନ କରାଯାଇଥିବା ରାଖି ପୂର୍ଣ୍ଣିମାରେ ସାରା ଦେଶରେ ୧୦ ହଜାର କୋଟି ଟଙ୍କାରୁ ଅଧିକ କାରବାର ହୋଇଥିଲା। ଚଳିତ ମ‌ାସରେ ପଡ଼ିଥିବା ଦୁଇ ଉତ୍ସବରେ ଭଲ ବେପାର ହୋଇଛି। ଆଗକୁ ଦଶହରା ଓ ଦୀପାବଳି ଆସୁଥିବାରୁ ବଜାରରେ ଉତ୍ସାହ ଜାରି ରହିବ ବୋଲି ମହାସଂଘ ଆଶା କରୁଛି। ଗତବର୍ଷ ଦୀପାବଳିରେ ସାରା ଦେଶରେ ୩.୭୫ କୋଟି ଟଙ୍କାର କାରବାର ହୋଇଥିଲା। ଚଳିତ ବର୍ଷ ଅଧିକ ବେପାର ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ଇ-କମର୍ସ କମ୍ପାନିଗୁଡ଼ିକ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ସେମାନେ ବର୍ଷ ସାରାର ୩୫ ପ୍ରତିଶତ କାରବାର ଏହି ସମୟରେ କରିଥାନ୍ତି। ଫଳ‌ରେ ଉତ୍ସବ ଋତୁରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ବଡ଼ ଇ-କମର୍ସ ସଂସ୍ଥା ନିଜର ମନଲୋଭା ଉତ୍ସବ ସେଲ୍‌ ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରନ୍ତି। 

Leave a Reply

Your email address will not be published. Required fields are marked *