ରାହୁଲ ଗାନ୍ଧିଙ୍କ ଫୋନ ଟ୍ୟାପ୍ ଚାର୍ଜକୁ କାଉଣ୍ଟର କଲେ କଂଗ୍ରେସ ନେତା ସାମ ପିଟ୍ରୋଡା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା ସାମ ପିଟ୍ରୋଡା। ଦିନକ ତଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆଣିଥିଲେ ଫୋନ ଟ୍ୟାପିଂ ଭଳି ସାଂଘାତିକ ଅଭିଯୋଗ। କିନ୍ତୁ ଏହାକୁ କାଉଣ୍ଟର କରିଛନ୍ତି ପିଟ୍ରୋଡା। ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାରର ଫୋନ ଟ୍ୟାପ୍ କରୁ ନଥିବା ସେ ଦମ୍ଭୋକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶୁଭେଚ୍ଛା ଆଦାନ ପ୍ରଦାନକୁ ନେଇ ଚର୍ଚ୍ଚାରେ ଥିବା ପିଟ୍ରୋଡା ଏବେ ରାହୁଲ ଗାନ୍ଧିଙ୍କ ଫୋନ ଟ୍ୟାପିଂ ଅଭିଯୋଗରୁ ନିଜକୁ ଦୂରେଇ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଫୋନ ଟ୍ୟାପ କରୁଥିବା ନେଇ ତାଙ୍କର କୌଣସି ବିଶ୍ୱାସ ନଥିବା ମଧ୍ୟ ସେ କହିଛନ୍ତି। ଗୋଟିଏ ଗଣମାଧ୍ୟମକୁ ପିଟ୍ରୋଡା କହିଛନ୍ତି, “ପ୍ରଧାନମନ୍ତ୍ରୀ ଏସବୁ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସ୍କ୍ରୁ ଡ୍ରାଇଭର ଧରି କମ୍ପ୍ୟୁଟରରେ ହାତ ମାରନ୍ତି ନାହିଁ।” ତେବେ ତାଙ୍କ ଫୋନ ଟ୍ୟାପ୍ କରାଯାଉଥିବା ନେଇ ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ରହିଥିବା ପିଟ୍ରୋଡା ଦାବି କରିଛନ୍ତି। ସେ କହିଛନ୍ତି, “ମୋ ଫୋନ ଟ୍ୟାପ୍ କରାଯାଉଚି। ମୋ ଲ୍ୟାପଟପ୍ ଉପରେ ଆକ୍ରମଣ ହେଉଛି। ମୋ ବ୍ୟାଙ୍କ ଖାତା ଉପରେ ନଜର ରଖାଯାଉଛି। ମୁଁ ଏନେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇଛି ଓ ସେମାନେ ମୋ ଯନ୍ତ୍ରପାତି ଯାଞ୍ଚ କରିବା ପରେ ମୋତେ ଟ୍ୟାପିଂ ସମ୍ପର୍କରେ ଜଣାଇଛନ୍ତି।” କାର୍ଯ୍ୟକ୍ରମରେ ତାଙ୍କୁ ଟ୍ୟାପ କରୁଥିବା ଲୋକ କିଏ ବୋଲି ପ୍ରଶ୍ନ କରାଯାଇଥିଲା। ହେଲେ ସେ କାହାର ନାଁ ନେଇ ନାହାନ୍ତି। ପିଟ୍ରୋଡାଙ୍କ କହିବା କଥା ଯେ କେହି ଜଣେ ଏମିତି କରୁଛି। ମୋତେ ଏହା ଜଣା ନାହିଁ ଓ ମୁଁ ଏହାକୁ ଖାତିର ମଧ୍ୟ କରେନି।ମୁଁ ଏହା ସହିତ ବଞ୍ଚୁଛି। ମୋତେ କିଛି ବି ସମସ୍ୟା ନାହିଁ। ଆମ ପାଖପାଖରେ ଖରାପ ଲୋକ ଅଛନ୍ତି। ଏପରି ସ୍ଥିତିରେ ଆପଣ କ’ଣ କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
