1 min read

ବାପା ମାଆଙ୍କ ଆୟ ଆଧାରରେ ସ୍ଥିର ହେବନି ସଂରକ୍ଷଣ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ ଓବିସି କ୍ରିମି ଲେୟର ସଂରକ୍ଷଣ ଉପରେ କେନ୍ଦ୍ର ସରକାର ସଂଶୋଧନ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପିତାମାତାଙ୍କ ଦରମା ଓବିସି ସଂରକ୍ଷଣ ଅନୁସାରେ ‘କ୍ରିମି ଲେୟର’ ସ୍ଥିର କରିବାର ଆଧାର ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୌଣସି ପ୍ରାର୍ଥୀଙ୍କୁ ସଂରକ୍ଷଣ ପରିସରରୁ ବାହାର କରିବା ପାଇଁ କେବଳ ଦରମାକୁ ଆଧାର ଭାବେ ବିବେଚନା କରାଯିବା ଉଚିତ ନୁହେଁ । ଏଥିପାଇଁ ପିତାମାତାଙ୍କ ସାମାଜିକ ସ୍ଥିତି ଏବଂ ସେମାନଙ୍କ ପଦର ପ୍ରକୃତିକୁ ଧ୍ୟାନରେ ରଖାଯିବା ଜରୁରି । କେନ୍ଦ୍ର ସରକାର ପିଏସ୍ୟୁ ଏବଂ ଘରୋଇ କ୍ଷେତ୍ରରେ ଚାକିରିର ପଦବୀକୁ ସରକାରୀ ପଦବୀ ସହ ସମାନତା ସ୍ଥିର କରିବା ଏବଂ ନୂଆ ବ୍ୟବସ୍ଥା ବନାଇବା ଲାଗି ଦୁଇ ବର୍ଷର ସମୟ ମାଗିଥିଲେ । ସୁପ୍ରିମକୋର୍ଟ ଏହି ଦାବିକୁ ସ୍ୱୀକାର କରିନାହାନ୍ତି । ଅଦାଲତ ଏହି ନିଷ୍ପତ୍ତିକୁ ପାଳନ କରିବା ଲାଗି ୮ ସପ୍ତାହର ଅତିରିକ୍ତ ସମୟ ଦେଇଛନ୍ତି । ଯେଉଁ ପରୀକ୍ଷାର୍ଥୀଙ୍କ ବାପାମାଆ ପବ୍ଲିକ ସେକ୍ଟର୍ସ (ପିଏସ୍ୟୁ), ବ୍ୟାଙ୍କ ଭଳି ସଂସ୍ଥାରେ କାର୍ଯ୍ୟରତ ସେମାନଙ୍କ ସହ ଏହି ମାମଲା ଜଡ଼ିତ । ସେହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେତେଜଣ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି)ରେ ପିଟିସନ ଦାଏର କରିଥିଲେ । ସେମାନେ ସିଭିଲ ସଭି ର୍ସ ପରୀକ୍ଷାରେ ଓବିସି (ନନ୍ କ୍ରିମି ଲେୟର) ର ଲାଭ ଚାହୁଁଥିଲେ । ସେମାନଙ୍କୁ ଓବିସି ସଂରକ୍ଷଣ ଆଧାରରେ ଚାକିରି ଦିଆଯାଉ ବୋଲି ଟ୍ରିବ୍ୟୁନାଲ ସରକାରଙ୍କୁ ଆଦେଶ ଦେଇଥିଲେ । କେନ୍ଦ୍ର ସରକାର ୧୯୯୩ର ଅଫିସ୍ ମେମୋରାଣ୍ଡମ୍ (ଓଏମ୍) ଜାରି କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଓବିସିରେ କେଉଁମାନେ କ୍ରିମି ଲେୟରରେ ରହିବେ । ଏଥିରେ କୁହାଯାଇଥିଲା ଯେ, ଦରମା ଏବଂ କୃଷି ଆୟକୁ ଆୟ ସୀମା ଧାର୍ଯ୍ୟ କରାଯିବାରେ ସାମିଲ କରାଯିବ ନାହିଁ । କିନ୍ତୁ ୨୦୦୪ ଅକ୍ଟୋବର ୧୪ର ସ୍ପଷ୍ଟୀକରଣରେ ପିଏସ୍ୟୁ ଏବଂ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଦରମାକୁ ସାମିଲ କରାଯିବାକୁ କୁହାଯାଇଥିଲା । ସରକାର ଏହି ସ୍ପଷ୍ଟୀକରଣ ଆଧାରରେ ପ୍ରାର୍ଥୀଙ୍କ ମାତାପିତାଙ୍କ ଦରମାକୁ ଏଥିରେ ଯୋଡ଼ି ଦେଇଥିଲେ । ଫଳରେ ସେହି ପରୀକ୍ଷାର୍ଥୀଙ୍କୁ ସଂରକ୍ଷଣର ଲାଭ ମିଳି ନ ଥିଲା । ସୁପ୍ରିମକୋର୍ଟ କହିଥିଲେ, ସରକାରୀ କର୍ମଚାରୀ ଏବଂ ପିଏସ୍ୟୁ କର୍ମଚାରୀଙ୍କ ମଧ୍ୟରେ ଭେଦଭାବ ଅନୁଚିତ ।

Leave a Reply

Your email address will not be published. Required fields are marked *