ମାତ୍ର ୩ ବର୍ଷ ଭିତରେ ମିଳିବ ନ୍ୟାୟ : ଶାହା
1 min read

ମାତ୍ର ୩ ବର୍ଷ ଭିତରେ ମିଳିବ ନ୍ୟାୟ : ଶାହା

ନୂଆଦିଲ୍ଲୀ : ନ୍ୟାୟ ପାଇଁ ବର୍ଷ ବର୍ଷ ଧରି କୋର୍ଟର ଚକ୍କର କାଟିବାରୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ’ ୨୦୨୭ ପରେ ରୁଜୁ ହେବାକୁ ଥିବା ସମସ୍ତ ଅପରାଧିକ ମାମଲାରେ ମାତ୍ର ୩ ବର୍ଷ ଭିତରେ ଦୋଷୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ବିକଶିତ କରାଯିବ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ପୁଲିସର ତଦନ୍ତଠାରୁ ଆରମ୍ଭ କରି ନ୍ୟାୟିକ ପ୍ରକ୍ରିୟା ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ଡିଜିଟାଲ୍ ମାଧ୍ୟମରେ ପରସ୍ପର ସହ ଯୋଡ଼ାଯାଉଛି, ଯାହାଦ୍ୱାରା ଅପରାଧ ତଦନ୍ତ ଏବଂ ନ୍ୟାୟିକ କାର୍ଯ୍ୟାନୁଷ୍ଠାନରେ କୌଣସି ଅନାବଶ୍ୟକ ବିଳମ୍ବ ହେବ ନାହିଁ । ଶୁକ୍ରବାର ରିଜର୍ଭ ପୁଲିସ ଲାଇନ୍, ଡେରାଡୁନଠାରେ ଉତ୍ତରାଖଣ୍ଡ ପୁଲିସର ‘ରାଷ୍ଟ୍ରପତି ପୁଲିସ ନିଶାନ ଅଳଙ୍କରଣ ସମାରୋହ’ ରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହା ଏହି ଘୋଷଣା କରିଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଲାଗୁ ହୋଇଥିବା ତିନୋଟି ନୂଆ ଅପରାଧିକ ଆଇନର ମୂଳ ଉଦ୍ଦେଶ୍ୟ କେବଳ ଆଇନ ବଦଳାଇବା ନୁହେଁ, ବରଂ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀକୁ ଅଧିକ ଆଧୁନିକ, ସ୍ୱଚ୍ଛ ଏବଂ ସମୟବଦ୍ଧ କରିବା । ଟେକ୍ନୋଲୋଜି ଏବଂ ଫୋରେନ୍ସିକ୍ ବିଜ୍ଞାନର ବ୍ୟାପକ ବ୍ୟବହାର ଦ୍ୱାରା ତଦନ୍ତର ଗୁଣବତ୍ତା ବୃଦ୍ଧି ପାଇବ ଏବଂ ନ୍ୟାୟ ମିଳିବାରେ ହେଉଥିବା ବିଳମ୍ବ କମିବ । ପୁଲିସ ଏବଂ କୋର୍ଟ ମଧ୍ୟରେ ଡିଜିଟାଲ୍ ସମନ୍ୱୟ ଏହି ବଡ଼ ପରିବର୍ତ୍ତନର ସବୁଠାରୁ ପ୍ରମୁଖ କଡ଼ ହେବ । ଉତ୍ତରାଖଣ୍ଡ ପୁଲିସର ଅବଦାନକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି ଯେ, ପ୍ରାୟ ୧୩ ହଜାର ଯବାନଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପୁଲିସ ବଳ ଆଜି ୨୬ ହଜାରରୁ ଅଧିକ ସଂଖ୍ୟାରେ ପହଞ୍ଚିଛି । ବିଷମ ଭୌଗଳିକ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରତିବର୍ଷ ବୃଦ୍ଧି ପାଉଥିବା ପର୍ଯ୍ୟଟକଙ୍କ ଚାପ ମଧ୍ୟରେ ଉତ୍ତରାଖଣ୍ଡ ପୁଲିସ ସାହସ, ସମ୍ବେଦନଶୀଳତା ଏବଂ ସମର୍ପଣ ଭାବେ ନିଜର ଦାୟିତ୍ୱ ତୁଲାଇ ଆସିଛି । ଏହି ଅବସରରେ ସେ କର୍ତ୍ତବ୍ୟ ସମ୍ପାଦନ କଲାବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ୨୦୬ ଜଣ ବୀର ଜୱାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *