ନୌସେନାର ଶକ୍ତି ବଢ଼ାଇବ ଭାରତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସାମରିକ ଶକ୍ତି ବଢ଼ାଇବା ସହ ସମୁଦ୍ର ସୀମାର ସୁରକ୍ଷାକୁ ଅଧିକ
ମଜବୁତ କରିବା ଲାଗି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୪୦ ହଜାର କୋଟି ଟଙ୍କାରୁ ଅଧିକ
ବ୍ୟୟରେ ୮ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି
ମଞ୍ଜୁରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଏହି ନିଷ୍ପତ୍ତି
ହୋଇଛି। ଏହି ୮ଟି ଯୁଦ୍ଧଜାହାଜ ମଧ୍ୟରୁ ୫ଟି କୋଲକାତାସ୍ଥିତ ଗାର୍ଡେନ୍ ରିଚ୍ ଜାହାଜ ନିର୍ମାଣ ସଂସ୍ଥା
ଓ ୩ଟି ଗୋଆ ଜାହାଜ ନିର୍ମାଣ ସଂସ୍ଥା ତିଆରି କରିବ। ଆସନ୍ତା କିଛି ଦିନ ମଧ୍ୟରେ ଏଥିପାଇଁ ଚୁକ୍ତି
ସ୍ୱାକ୍ଷର ହେବାର ଆଶା ରହିଛି। ପ୍ରତ୍ୟେକ ଯୁଦ୍ଧଜାହାଜର ଓଜନ ପ୍ରାୟ ୨ ହଜାର ଟନ୍ ହେବ। ଏଗୁଡ଼ିକ
ଘଣ୍ଟାପ୍ରତି ପ୍ରାୟ ୫୫ କିଲୋମିଟର ବେଗରେ ଗତି କରିପାରିବ। ଶତ୍ରୁପକ୍ଷର ରାଡାର୍ରେ ସହଜରେ ଧରା
ନପଡ଼ିବା ଭଳି ସ୍ୱତନ୍ତ୍ର ଢାଞ୍ଚାରେ ଏହା ନିର୍ମାଣ ହେବ। ଶତ୍ରୁ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ
ଆକାଶମାର୍ଗରୁ ଆସୁଥିବା ଆକ୍ରମଣର ମୁକାବିଲା କରିବାରେ ଏହା ସକ୍ଷମ ହେବ। ଏଥିସହ ସମୁଦ୍ରରେ
ନଜର ରଖିବା, ଉପକୂଳ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ସହାୟକ ହେବ।
