ଟ୍ରମ୍ପଙ୍କ ହାତରୁ ଖସିପାରେ ହାଉସ୍ର କ୍ଷମତା !
ନୂଆଦିଲ୍ଲୀ : ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ସାମ୍ନାକୁ ଆସିଥିବା ଜନମତ ସର୍ଭେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ରିପବ୍ଲିକାନ ପାର୍ଟିର ଚିନ୍ତା ବଢ଼ାଇ ଦେଇଛି । ଟାରିଫ୍ ଯୁଦ୍ଧ ଏବଂ ଇରାନ ସଂଘର୍ଷ କାରଣରୁ ଆମେରିକୀୟ ଭୋଟରମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବାବେଳେ, ସର୍ଭେ ଫଳାଫଳ ଏହି ଅସନ୍ତୋଷକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ନିର୍ବାଚନ ବିଶ୍ଳେଷକଙ୍କ ମତରେ, ରିପବ୍ଲିକାନ ପାର୍ଟି ‘ହାଉସ୍ ଅଫ୍ ରେପ୍ରେଜେଣ୍ଟେଟିଭ୍ସ’ ଉପରୁ ନିୟନ୍ତ୍ରଣ ହରାଇପାରେ । ସେପଟେ ସିନେଟ୍ ଫଳାଫଳକୁ ନେଇ ଏପର୍ଯ୍ୟନ୍ତ ଅନିଶ୍ଚିତତା ଜାରି ରହିଛି । ଯଦି ଡେମୋକ୍ରାଟ୍ସ କୌଣସି ଗୋଟିଏ ସଦନ ଉପରେ ନିୟନ୍ତ୍ରଣ ହାସଲ କରନ୍ତି, ତେବେ ସେମାନେ ଟ୍ରମ୍ପଙ୍କ ନୀତିରେ ବାଧା ସୃଷ୍ଟି କରିପାରନ୍ତି । ପୂର୍ବ କାର୍ଯ୍ୟକାଳ ପରି ମହାଭିଯୋଗ ପରିସ୍ଥିତି ପୁଣି ଉପୁଜିପାରେ ବୋଲି ଟ୍ରମ୍ପ ନିଜେ ମଧ୍ୟ ସମର୍ଥକଙ୍କୁ ସତକର୍ତ୍ତ କରାଇଛନ୍ତି । ନିର୍ବାଚନ ଜିତିଲେ ପ୍ରତି ଆମେରିକୀୟ ବୟସ୍କଙ୍କୁ ୫,୦୦୦ ଡଲାର ଦେବା ଏବଂ ରୁଷ ଉପରୁ ପ୍ରତିବନ୍ଧକ ହଟାଇବା ଭଳି ପ୍ରତିଶ୍ରୁତି ଟ୍ରମ୍ପ ଦେଇଛନ୍ତି ।
ଟ୍ରମ୍ପଙ୍କ କାର୍ଯ୍ୟକଳାପକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳୁଛି । ‘ରିଅଲକ୍ଲିୟର ପଲିଟିକ୍ସ’ ରିପୋର୍ଟ ଅନୁଯାୟୀ, ମାତ୍ର ୩୮.୨ ପ୍ରତିଶତ ଭୋଟର ଟ୍ରମ୍ପଙ୍କ କାମରେ ଖୁସି ଥିବାବେଳେ ୬୦.୨ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି । ପ୍ରାୟ ୫୭ ପ୍ରତିଶତ ଲୋକଙ୍କ କହିବା କଥା ଯେ ଟ୍ରମ୍ପଙ୍କ ନୀତି କାରଣରୁ ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଯାଇଛି । ବର୍ତ୍ତମାନ ପେଟ୍ରୋଲର ହାରାହାରି ଦର ପ୍ରତି ଗ୍ୟାଲେନ୍ ୪.୨୮ ଡଲାର ଏବଂ ଡିଜେଲ ଦର ୬.୨୮ ଡଲାରରେ ପହଞ୍ଚିଛି ।
