ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌!
1 min read

ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌!

ମୁମ୍ବାଇ : ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ଏବେ ରାଜନୈତିକ ଭାବେ ମଜଭୁତ ସ୍ଥିତିରେ ଥିବା ଦେଖାଯାଉଛି। କିନ୍ତୁ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ମରାଠା ସଂରକ୍ଷଣ ଆନ୍ଦୋଳନକୁ ନେଇ ବିବାଦୀୟ ଅଡିଓ କ୍ଲିପ, ଏକନାଥ ଶିନ୍ଦେଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ଦାବି, କୋଙ୍କଣ ଅଞ୍ଚଳରେ ସହଯୋଗୀ ଦଳର ନେତାଙ୍କ ମଧ୍ୟରେ ବିବାଦ ଏବଂ ଅର୍ଥ ବିଭାଗକୁ ନେଇ ଅଜିତ ପାୱାର ଗୋଷ୍ଠୀର ଚାପ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାଗୁଡ଼ିକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ କ୍ଷମତାକୁ ନେଇ ନିରବ ଲଢ଼େଇ ଚାଲିଛି କି? ନା ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ପୂର୍ବରୁ ସହଯୋଗୀ ଦଳଗୁଡ଼ିକ ନିଜ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରୁଛନ୍ତି?

ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲଙ୍କ ଦ୍ୱାରା ଏକ କଥିତ ଅଡିଓ କ୍ଲିପ ସାର୍ବଜନୀନ କରାଯିବା ପରେ ମହାୟୁତି ମେଣ୍ଟରେ ଅସନ୍ତୋଷ ଚର୍ଚ୍ଚା ଜୋର ଧରିଥିଲା। ଏହି କ୍ଲିପ୍‌ରେ ଏକନାଥ ସିନ୍ଦେଙ୍କ ସହ ଜଡ଼ିତ ୫୦୦ କୋଟି ଟଙ୍କାର କଥିତ କାରବାର ସମ୍ପର୍କରେ ଦାବି କରାଯାଇଥିବା କୁହାଯାଇଛି। ଏଥିସହ ଭାଜପାର ସୋସିଆଲ ମିଡିଆ ଟିମ ସହ ଜଡ଼ିତ କିଛି ବ୍ୟକ୍ତି ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ଫଡନଭିସ ମୁମ୍ବାଇ ପୋଲିସ ମାଧ୍ୟମରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ କୁହାଯାଇଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହି ପଦକ୍ଷେପ ମାଧ୍ୟମରେ ସରକାର ମାମଲାକୁ ଗୁରୁତ୍ୱର ସହ ନେଉଥିବା ସନ୍ଦେଶ ଦେବା ସହ ପ୍ରଶାସନିକ ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଚାହୁଁଥିବା ସଙ୍କେତ ଦେଇଛନ୍ତି। ତେବେ ଅଡିଓ କ୍ଲିପ୍‌ରେ ଥିବା ଦାବିଗୁଡ଼ିକର ସତ୍ୟତା ତଦନ୍ତ ଓ ପ୍ରମାଣ ଉପରେ ନିର୍ଭର କରିବ। ମହାୟୁତି ମେଣ୍ଟର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ଚର୍ଚ୍ଚାକୁ ଆଣିଛି ଶିବସେନାର ଶିନ୍ଦେ ଗୋଷ୍ଠୀର କିଛି ବରିଷ୍ଠ ନେତାଙ୍କ ବୟାନ। ଦଶହରା ରାଲିରେ ରାମଦାସ କଦମ ଓ ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରି ନେତା ଏକନାଥ ଶିନ୍ଦେଙ୍କୁ ମହାରାଷ୍ଟ୍ରର ଭବିଷ୍ୟତ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିଥିଲେ।ଶିନ୍ଦେ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ମହାୟୁତିର ଲୋକପ୍ରିୟତା ଓ ସଫଳତାର ପ୍ରମୁଖ କାରଣ ବୋଲି ଏହି ନେତାମାନେ ଦର୍ଶାଇଥିଲେ।

Leave a Reply

Your email address will not be published. Required fields are marked *