ଭ୍ରାମକ ଭିଡିଓ ପ୍ରସାରଣ ନେଇ କଂଗ୍ରେସ କ୍ଷମା ମାଗିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଚୀନ୍ ଭାରତୀୟ ଅଞ୍ଚଳ ଦଖଲ କରିଥିବା ଏବଂ ଭାରତୀୟ ସେନାକୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯାଇଥିବା ଦାବି କରି ସୋସିଆଲ୍ ମିଡିଆରେ ଭ୍ରମାତ୍ମକ ଭିଡିଓ ପ୍ରସାରଣକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଭାରତୀୟ ସେନା ଏହି ଭିଡିଓଗୁଡ଼ିକର ସତ୍ୟତା ଯାଞ୍ଚ କରି ଗୋଟିଏ ଭିଡିଓକୁ ଭୁଲ୍ ତଥ୍ୟ ସହ ପ୍ରସାରିତ ଦୃଶ୍ୟ ଏବଂ ଅନ୍ୟଟିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ନକଲି ଭିଡିଓ ବୋଲି ସ୍ପଷ୍ଟ କରିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କହିଛନ୍ତି। ଅକ୍ଟୋବର ୨୭ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିହାରର କଂଗ୍ରେସ ମୁଖପାତ୍ର ଋତୁ ଚୌଧୁରୀଙ୍କ ସମେତ କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ଭିଡିଓଗୁଡ଼ିକ ପ୍ରସାର କରିଥିଲେ। ସେଥିରୁ ଗୋଟିଏ ଭିଡିଓରେ ଚୀନ୍ର ଯାନ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଥିବା ଦାବି କରାଯାଇଥିବାବେଳେ ଅନ୍ୟଟିରେ ଚୀନ୍ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳ ଦଖଲ କରିଥିବା ଦର୍ଶାଯାଇଥିଲା। ସେନାର ତଥ୍ୟ ଯାଞ୍ଚରୁ ଜଣାପଡ଼ିଛି ଯେ ପ୍ରଥମ ଭିଡିଓଟି ସିକ୍କିମ୍ର ନାଥୁଲା ଗିରିପଥର। ଏହା ଭାରତ ଓ ଚୀନ୍ ମଧ୍ୟରେ ଅନୁମୋଦିତ ସୀମାପାର ବାଣିଜ୍ୟ କେନ୍ଦ୍ର। ଏଠାରେ ଚୀନ୍ର ବାଣିଜ୍ୟିକ ଯାନ ଚଳାଚଳକୁ ଅନଧିକୃତ ସାମରିକ ଅନୁପ୍ରବେଶ ଭାବେ ଉପସ୍ଥାପନ କରାଯାଇଛି। ଏହି ବାଣିଜ୍ୟ ନିର୍ଦ୍ଧାରିତ ଦ୍ୱିପାକ୍ଷିକ ଚୁକ୍ତି ଓ ନିୟମ ଅନୁସାରେ ହୋଇଥାଏ ବୋଲି ସେନା ସ୍ପଷ୍ଟ କରିଛି। ଦ୍ୱିତୀୟ ଭିଡିଓରେ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଗିରିଶ କାଲିଆ ଅରୁଣାଚଳ ପ୍ରଦେଶର ଅସାଫିଲା, ଲୋଙ୍ଗଜୁ ଓ ତାକ୍ସିଂ ଅଞ୍ଚଳ ଚୀନ୍ ଦଖଲ କରିଥିବା କହୁଥିବା ଦେଖାଯାଇଥିଲା। ଏଥିସହ ସେନାକୁ ଆବଶ୍ୟକ ସାମଗ୍ରୀ ମିଳୁନଥିବା ଦାବି ମଧ୍ୟ ରହିଥିଲା। କିନ୍ତୁ ସେନା କହିଛି ଯେ ଏହା ଏକ ଡିପ୍ଫେକ୍ ଭିଡିଓ। ଏହାର ମୂଳ ଦୃଶ୍ୟ ୨୦୨୩ ଅକ୍ଟୋବର ୨୭ରେ ଜମ୍ମୁ-କାଶ୍ମୀରର କୁପୱାଡ଼ାଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀର। ସେତେବେଳେ ଅଧିକାରୀ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଏପରି କୌଣସି ମନ୍ତବ୍ୟ ଦେଇନଥିଲେ।
