୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି
ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ପୁଣି ଏକ ବଡ଼ ବର୍ଷା। ୨୭ରେ କମ୍ ଆଉ ୨୮ ଓ ୨୯ରେ ନିର୍ଦ୍ଧୁମ ଛେଚିବ। ଦକ୍ଷିଣରେ ବୁଡ଼ାଇପାରେ, ଉପକୂଳରେ ଉଜାଡ଼ିପାରେ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆଗକୁ ଡିପ୍ରେସନ୍ ଓ ପରେ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଏପଟେ ୩ ଦିନ ଧରି ରାଜ୍ୟରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ବର ମେଟ୍ ଅଫିସ ସ୍ପଷ୍ଟ କରିଛି, ଏବେ ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ଲାଣ୍ଡଫଲ୍ ନେଇ ଆକଳନ ହୋଇନି। କିନ୍ତୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଦୁଇ ଦିନ ଧରି ତାଣ୍ଡବ ରଚିପାରେ ବର୍ଷା। ଲଘୁଚାପ ପ୍ରଭାବରେ ବର୍ଷାର ପ୍ରଭାବ ଆରମ୍ଭ ହେବ ୨୬ ତାରିଖ ସୋମବାରରୁ। ଏହି ଦିନ ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ରହିଛି ୱେଲ୍ଲୋ ୱାର୍ଣ୍ଣିଂ।
ସେହିଭଳି ୨୭ରେ ସଙ୍ଗୀନ ହୋଇପାରେ ବର୍ଷାର ସ୍ଥିତି। କାରଣ ଏହି ଦିନ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣିଂ। ସେହିଦିନ ଦକ୍ଷିଣ, ଉପକୂଳ ଓ କେନ୍ଦ୍ର ଓଡ଼ିଶାର ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଥିବାରୁ ଏସବୁ ଜିଲ୍ଲାରେ ହୋଇପାରେ ମୂଶଳ ଧାରାରେ ବର୍ଷା। ଆଉ ୨୮ରେ ପୁରା ଓଡ଼ିଶାକୁ ନାକେଦମ୍ କରିପାରେ ପ୍ରବଳ ବର୍ଷା। ସେଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଏସବୁ ଜିଲ୍ଲାରେ ଦେଖାଦେଇପାରେ ବର୍ଷା ବିତ୍ପାତ।ସେହିଭଳି ଉପକୂଳ, ଦକ୍ଷିଣ ଓ କେନ୍ଦ୍ର ଓଡ଼ିଶାର ୧୫ଟି ଜିଲ୍ଲାକୁ ଅରେଂଜ ୱାର୍ଣିଂ ଦୃଷ୍ଟିରୁ ଏସବୁ ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅବଶିଷ୍ଟ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ମଧ୍ୟ ୟେଲ୍ଲୋ ୱାର୍ଣ୍ଣିଂ ଥିବାରୁ ଏସବୁ ଜିଲ୍ଲା ବି ସେଦିନ ବର୍ଷା କୋପରୁ ବର୍ତ୍ତି ନପାରେ।
ଏପଟେ ଘନ ଘନ ବନ୍ୟାର ଘା ନଶୁଖୁଣୁ ଓଡ଼ିଶାବାସୀ ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏପରିକି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, IMD ସହ ଯୋଗାଯୋଗରେ ଅଛୁ, ଅବପାତ ହେବା ପରେ ଏହାର ଗତି ଉପରେ ନଜର ରହିବ। କ୍ଷତି ଯେପରି ଅଧିକ ନ ହେବ ସେଥିପାଇଁ ମୁଖ୍ୟ ସଚିବ ଓ ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ ଜରୁରୀ ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।

