ପାକିସ୍ତାନରେ ରହୁଛି ଦାଉଦ ଇବ୍ରାହିମ୍ : ଭାରତ
ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଅପରାଧିକ ସଂଗଠନ ‘ଡି-କମ୍ପାନୀ’କୁ ଭାରତ-
ଆଧାରିତ ଅପରାଧିକ ଗୋଷ୍ଠୀ ଭାବେ ବର୍ଣ୍ଣନା କରିଛନ୍ତି ଜାତିସଂଘର ଜଣେ ସ୍ୱତନ୍ତ୍ର ରିପୋର୍ଟର ।
ଯାହାକୁ ନେଇ ତାଙ୍କ ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ। ଦାଉଦ ଇବ୍ରାହିମ୍ ପାକିସ୍ତାନରେ
ଲୁଚି ରହିଥିବା ଦାବି କରି ଭାରତ ଜାତିସଂଘର ରିପୋର୍ଟକୁ ତଥ୍ୟଗତ ତ୍ରୁଟିପୂର୍ଣ୍ଣ ଓ ବାସ୍ତବତାରୁ ଭିନ୍ନ
ବୋଲି ସମାଲୋଚନା କରିଛି । ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ ନିଜ ରିପୋର୍ଟରେ
ଦାଉଦ ଇବ୍ରାହିମ୍କୁ ‘ଡି-କମ୍ପାନୀ’ ନାମକ ଏକ ଭାରତ-ଆଧାରିତ ଅପରାଧିକ ସିଣ୍ଡିକେଟ୍ର ମୁଖ୍ୟ
ଭାବେ ଉଲ୍ଲେଖ କରିଛନ୍ତି । ଏହି ସଂଗଠନର ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପର୍କ ଥିବା କଥା
ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଏହାକୁ ନେଇ ଭାରତ ଜାତିସଂଘର ରିପୋର୍ଟରମାନଙ୍କୁ
ନିରପେକ୍ଷତା ଓ ତଥ୍ୟର ସଠିକତା ବଜାୟ ରଖିବାକୁ ପରାମର୍ଶ ଦେଇଛି । ମିଳିତ ଜାତିସଂଘ
ସାଧାରଣ ସଭାରେ ଭାରତୀୟ କୂଟନୀତିଜ୍ଞ ରଘୁ ପୁରୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସ୍ୱତନ୍ତ୍ର
ରିପୋର୍ଟରମାନେ ତଥ୍ୟଗତ ତ୍ରୁଟି ଥିବା ରିପୋର୍ଟ ପ୍ରକାଶ କରୁଥିବା ସତ୍ତ୍ୱେ ସେମାନଙ୍କୁ
ଉତ୍ତରଦାୟିତ୍ୱର ସମ୍ମୁଖୀନ ହେବାକୁ ପଡ଼ୁନାହିଁ । ଏଭଳି ସ୍ଥିତି ଜାତିସଂଘର ବିଶ୍ୱସନୀୟତା ଓ
ବୈଧତାକୁ ପ୍ରଭାବିତ କରୁଛି ବୋଲି ସେ ମତ ଦେଇଛନ୍ତି । ରଘୁ ପୁରୀ ଆହୁରି କହିଛନ୍ତି ଯେ,
ଦାଉଦ ଇବ୍ରାହିମ୍ ଭାରତରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୀର୍ଘଦିନ ଧରି ଖୋଜା
ଚାଲିଥିବା ଅପରାଧୀ । ୧୯୯୩ ମସିହାରୁ ତାଙ୍କ ବିରୋଧରେ ଭାରତରେ ମାମଲା ରହିଛି । ତେଣୁ
ତାକୁ କେବଳ ଭାରତ-ଆଧାରିତ ଅପରାଧିକ ଗୋଷ୍ଠୀର ମୁଖ୍ୟ ଭାବେ ଉଲ୍ଲେଖ କରିବା ଦ୍ୱାରା
ପ୍ରକୃତ ପରିସ୍ଥିତିର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସୁନାହିଁ ।
