ଆତଙ୍କବାଦ ଶାନ୍ତି ଏବଂ ବିକାଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ : ରାଜନାଥ
ଦୁଶାନବେ: ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ରାଜନାଥ କହିଛନ୍ତି ଯେ, ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ। ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହିତ ଦେଶ ଦେଶ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଅତ୍ୟନ୍ତ ଜରୁରୀ। ଆତଙ୍କବାଦକୁ କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ସମର୍ଥନ କିମ୍ବା ନିରାପଦ ଆଶ୍ରୟ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଆତଙ୍କବାଦର ସମଗ୍ର ପରିବେଶକୁ ଦୂର କରିବା ପାଇଁ ସାମୂହିକ ଏବଂ ଦୃଢ଼ ପ୍ରୟାସ ପାଇଁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ ଶାନ୍ତି ଏବଂ ବିକାଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ। ଏହା ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରେ, ନିବେଶ ଏବଂ ବାଣିଜ୍ୟକୁ ବାଧା ଦିଏ ଏବଂ ଯୁବପିଢ଼ିଙ୍କୁ ସୁଯୋଗରୁ ବଞ୍ଚିତ କରେ ବୋଲି ରାଜନାଥ କହିଛନ୍ତି। ରାଜନାଥ ସିଂହ ଆତଙ୍କବାଦ ଉପରେ ତାଙ୍କ ବକ୍ତବ୍ୟ ଦେବା ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ମଧ୍ୟ ଉପସ୍ଥିତ ଥିଲେ।

