ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ
1 min read

ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ତଥା ଲୋୟର ସୁକତେଲ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଡେପୁଟେସନରେ ଥିବା ସଞ୍ଜୟ କିଶୋରଙ୍କ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିବା ଏହି ପ୍ରକଳ୍ପର ଦୁର୍ନୀତିର ଚେର ବହୁ ଗଭୀରକୁ ଥିବା ସ୍ପଷ୍ଟ ପ୍ରତୀୟମାନ

ବର୍ତ୍ତମାନ ଏକ ନୂଆ କିସମର ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ପ୍ରକଳ୍ପର ବୁଡ଼ି ଅଞ୍ଚଳରେ ଥିବା ତିନୋଟି ଗାଁ ଖୁଣ୍ଟପାଲି, କୁମିଆପାଲି ଏବଂ ତଲବାଞ୍ଜି ଗାଁକୁ ସମ୍ପୂର୍ଣ୍ଣ ବିସ୍ଥାପନ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି। କୁମିଆପାଲିରେ ତିନି ଦିନ ହେଲା ଉତ୍ତେଜନା ଲାଗି ରହିଛି। ୮୪ଟି ପରିବାର କୌଣସି ହିସାବରେ ଗାଁ ଛାଡ଼ିବେ ନାହିଁ ବୋଲି ଧନୁତୀର ଧରି ଆନ୍ଦୋଳନରେ ବସିଛନ୍ତି। ହଠାତ୍ ହଠାତ୍ ଗୁହାଳ, ଗାଇଗୋରୁ ନାହାନ୍ତି, କିଏ ନିର୍ମାଣ କରିଛି ଆଜବେଷ୍ଟସ୍ ଘର?

ଏହି ଗାଁରେ କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁକୁ ପଶିବା ରାସ୍ତାର ବାମ ପାର୍ଶ୍ୱ ଏବଂ ଗାଁ ତଳମୁଣ୍ଡରେ ଏକର ଏକର ଜମିରେ ଆଜବେଷ୍ଟସ୍ ଘର ନିର୍ମାଣ ହୋଇଛି। ଗୋଟିଏ ଆଦିବାସୀ ବହୁଳ ଗାଁରେ ଗୋଟିଏ ଲମ୍ବା କୋଠରୀ ଥିବା ଆଜବେଷ୍ଟସ୍ ଘର ଦେଖିଲେ ଯେ କେହି ତାଜୁବ ହୋଇଯିବେ। କିଛି ଲୋକଙ୍କ ସହ ଆଲୋଚନା ବେଳେ ଏହି ଆଜବେଷ୍ଟସ୍ ଘରଗୁଡ଼ିକ ଗୁହାଳ ଏବଂ ଲୋକଙ୍କ ରହିବା ପାଇଁ ବ୍ୟବହାର ହେଉଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଗାଁରେ ହାତଗଣତି ଗାଇଗୋରୁଙ୍କ ପାଇଁ ଶହ ଶହ ଗୁହାଳ ତିଆରି ହେଲା କେମିତି, ତନାଘନା ପରେ ଏହି ପ୍ରଶ୍ନର ରୋଚକ ଉତ୍ତର ଜଣାପଡ଼ିଛି।

ବାସ୍ତବରେ ବଲାଙ୍ଗୀର ସହରର କିଛି ପ୍ରଭାବଶାଳୀ ବ୍ୟକ୍ତି କେତେକ ବିସ୍ଥାପିତ ପରିବାରଙ୍କୁ ପ୍ରକଳ୍ପ ନିର୍ମାଣ ପୂର୍ବରୁ ହାତକୁ ନେଇଥିଲେ। ରାତାରାତି ଗାଁରେ ଆଜବେଷ୍ଟସ୍, ସିମେଣ୍ଟ ଏବଂ ଲୁହାଛଡ଼ ପହଞ୍ଚିଲା। କିଛି ଦିନ ଭିତରେ ଆଜବେଷ୍ଟସ୍ ଘର ନିର୍ମାଣ ହେଲା। କିଛି ବିସ୍ଥାପିତଙ୍କୁ ଲୋଭ ଦିଆଗଲା ଯେ କ୍ଷତିପୂରଣ ଟଙ୍କା ଅଧା ଅଧା ଭାଗ ହେବ। ଆଜବେଷ୍ଟସ୍ ଓ ଅନ୍ୟ ଘର ସରଞ୍ଜାମ ବିସ୍ଥାପିତମାନେ ଗାଁ ଛାଡ଼ିବା ବେଳେ ନେଇ ପଳାଇବେ।

ହେଲେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏହି ଚାଲ୍ କୁମିଆପାଲି ଗାଁରେ ଆଂଶିକ ଭାବେ କାମ ଦେଇଛି। ଗାଁରେ ରହୁଥିବା ୨୪୦ଟି ପରିବାର ମଧ୍ୟରୁ ୮୪ ପରିବାରଙ୍କୁ ଛାଡ଼ି ଅନ୍ୟମାନେ ବିସ୍ଥାପିତ ହୋଇ ସାରିଲେଣି। ଗାଁରେ ରହିଥିବା ୮୪ ପରିବାର ଏବେ ବି ଆନ୍ଦୋଳନରେ ବସିଛନ୍ତି।

Leave a Reply

Your email address will not be published. Required fields are marked *