ସାଳନ୍ଦୀ ନଦୀପଠାରେ ଜବରଦଖଲ, ବଢ଼ୁଛି ବନ୍ୟା ଆଶଙ୍କା
ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ନଦୀବନ୍ଧ ଓ ନଦୀପଠାରେ ଜବରଦଖଲ ବଢ଼ୁଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ପ୍ରତିବର୍ଷ ବନ୍ୟା ସ୍ଥିତି ଗମ୍ଭୀର ହେବା ସହ ବାସ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି।
କେନ୍ଦୁଝର ଜିଲ୍ଲାର ହଦଗଡ଼ରୁ ଉତ୍ପତ୍ତି ଲାଭ କରିଥିବା ସାଳନ୍ଦୀ ନଦୀ ଭଦ୍ରକ ଦେଇ ପ୍ରବାହିତ ହୋଇ ଚାନ୍ଦବାଲି ନିକଟରେ ବୈତରଣୀ ନଦୀ ସହ ମିଶିଛି। ତେବେ ଗତ ଦୁଇ ଦଶନ୍ଧି ଧରି ନଦୀବନ୍ଧ ଓ ପଠାର ବିଭିନ୍ନ ସ୍ଥାନରେ ଜବରଦଖଲ ବଢ଼ିଚାଲିଛି। ବନ୍ତ, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ଅନେକ ସ୍ଥାନରେ ନଦୀପଠା ଜବରଦଖଲରେ ଥିବା ଅଭିଯୋଗ ହୋଇଛି।
ଜବରଦଖଲ ବଢ଼ୁଥିବାରୁ ନଦୀପଠା କ୍ରମଶଃ ସଙ୍କୁଚିତ ହେଉଛି। ଫଳରେ ବର୍ଷା ଋତୁରେ ନଦୀର ଜଳ ନିଷ୍କାସନରେ ସମସ୍ୟା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି।
ଉଲ୍ଲେଖଥାଉ କି, ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ସମୟରେ ସାଳନ୍ଦୀ ସଂସ୍କାର ପାଇଁ ପ୍ରାୟ ୧୦୦ କୋଟି ଟଙ୍କାରେ ନଦୀବନ୍ଧ ସୁଦୃଢ଼ୀକରଣ ଓ ସୌନ୍ଦର୍ଯ୍ୟୀକରଣ କାମ ହୋଇଥିଲା। ପରବର୍ତ୍ତୀ ସମୟରେ ମଧ୍ୟ ଏହି କାର୍ଯ୍ୟ ପାଇଁ ଦେଢ଼ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିଲା। ଏହାସତ୍ତ୍ୱେ ନଦୀରୁ ଜବରଦଖଲ ହଟାଇବା ଓ ପୋତିଯାଇଥିବା ଅଂଶର ପୁନରୁଦ୍ଧାର ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ସେହିପରି ଜଳସମ୍ପଦ ବିଭାଗର ବିଧାନସଭା କମିଟି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ନଦୀବନ୍ଧରୁ ଜବରଦଖଲ ହଟାଇବା ଓ ପୋତିଯାଇଥିବା ଅଂଶର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରଖିଥିଲେ। ହେଲେ ଏଯାଏଁ ଏହାର ବାସ୍ତବ ରୂପାୟଣ ହୋଇନାହିଁ। ବର୍ତ୍ତମାନ ୨୬ କୋଟି ଟଙ୍କାର ନଦୀବନ୍ଧ ସୌନ୍ଦର୍ଯ୍ୟୀକରଣ କାମ ଚାଲିଥିଲେ ମଧ୍ୟ ଏହା ସାଳନ୍ଦୀର ମୂଳ ସମସ୍ୟା ସମାଧାନ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ ଆସିଛି।
ସାଳନ୍ଦୀ ବଞ୍ଚାଅ ସମିତିର କର୍ମକର୍ତ୍ତାମାନେ କହିଛନ୍ତି, ନଦୀର ପ୍ରକୃତ ପୁନରୁଦ୍ଧାର ପାଇଁ ଜବରଦଖଲ ଉଚ୍ଛେଦ, ପୋତିଯାଇଥିବା ଅଂଶର ଖନନ ଏବଂ ନଦୀବନ୍ଧର ସୁଦୃଢ଼ୀକରଣ ଜରୁରୀ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
