ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀ ହନ୍ତସନ୍ତ
1 min read

ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀ ହନ୍ତସନ୍ତ

ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଲୋକଙ୍କ ହିତରେ ଆସିପାରୁନାହିଁ। ଏଭଳି ଏକ ସମସ୍ୟା ଘେରରେ ଘାଣ୍ଟି ହେଉଛନ୍ତି ସିରଗଡ଼ା ପଞ୍ଚାୟତର ହାତୀଛାଡ଼ ଗ୍ରାମବାସୀ। ବିଶେଷକରି କଳାଟମକରୁ ହାତୀଛାଡ଼ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅଭିଯୋଗ ଅନୁଯାୟୀ ହାତୀଛାଡ଼ ଗ୍ରାମରେ ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ଗମନାଗମନର ସୁବିଧା ନଥିବାରୁ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ରାସ୍ତାଟି ଅଭିଶାପ ପାଲଟିଛି।

ବର୍ଷା ସମୟରେ ଯଦି କେହି ଅସୁସ୍ଥ ହୋଇ ଆମ୍ବୁଲାନ୍ସ ୧୦୮କୁ ଫୋନ କରିଥାନ୍ତି, ତେବେ ରାସ୍ତା କାଦୁଅରେ ପଚପଚ ହୋଇଥିବାରୁ ହାତୀଛଡ଼ ଗ୍ରାମରୁ ୩ କିମି ଦୂର କଳାଟମକ ପାଖରେ ଅଟକିଯାଇଥାଏ। କିଛି ମାସ ପୂର୍ବେ ଗ୍ରାମର ରୋଗୀ ଠୁମ୍ପୁ ମାଝୀଙ୍କୁ ୩ କିମି ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା। ରାସ୍ତା ପାଇଁ ଗ୍ରାମବାସୀ ବିଡିଓଙ୍କ ସମେତ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଦାବି କରିଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତିରେ ଅଟକିଛି।

ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତା ପାଇଁ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ବ୍ଲକ ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ରାସ୍ତା ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ରାସ୍ତା ନିର୍ମାଣ ନକଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି ଗଣମାଧ୍ୟମ ସାମ୍ନାରେ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Leave a Reply

Your email address will not be published. Required fields are marked *