ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ସି ଜିନପିଙ୍ଗ
ନୂଆଦିଲ୍ଲୀ/ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ରେ ଆୟୋଜିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସି ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି।
ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଦୁଇଦିନିଆ BRICS ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରାୟ ୭ ବର୍ଷ ପରେ ସି ଜିନପିଙ୍ଗ ଭାରତ ଗସ୍ତ କରୁଥିବାରୁ ଏହି ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ପରେ ଭାରତ-ଚାଇନା ସମ୍ପର୍କକୁ ସ୍ଥିର କରିବା ପାଇଁ ଉଭୟ ପକ୍ଷ ଉଦ୍ୟମ ଜାରି ରଖିଛନ୍ତି।
ସି ଜିନପିଙ୍ଗଙ୍କ ପୂର୍ବ ଭାରତ ଗସ୍ତ ୨୦୧୯ ଅକ୍ଟୋବର ୧୧ ଓ ୧୨ରେ ହୋଇଥିଲା। ସେତେବେଳେ ସେ ତାମିଲନାଡୁର ମାମଲ୍ଲାପୁରମ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଭାରତ-ଚାଇନା ଅନୌପଚାରିକ ଶିଖର ବୈଠକରେ ଯୋଗଦେଇଥିଲେ।
ସୂତ୍ର ଅନୁଯାୟୀ, ସି ଜିନପିଙ୍ଗ ପ୍ରାୟ ୨୪ ଘଣ୍ଟା ଦିଲ୍ଲୀରେ ରହିବେ। ସେପ୍ଟେମ୍ବର ୧୨ ଦିନ ଦ୍ୱିପ୍ରହର ପ୍ରାୟ ୧୨ଟାରେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାରତ ମଣ୍ଡପମରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପରେ ସେ BRICS ସମ୍ମିଳନୀରେ ଯୋଗଦେବେ।
ସେପ୍ଟେମ୍ବର ୧୩ ଦିନ ଦ୍ୱିପ୍ରହର ପ୍ରାୟ ୧୨ଟାରେ ସି ଜିନପିଙ୍ଗ ଭାରତ ଗସ୍ତ ଶେଷ କରି ଚାଇନା ଅଭିମୁଖେ ଫେରିବେ ବୋଲି ସୂଚନା ମିଳିଛି। ତାଙ୍କ ଗସ୍ତ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ କୂଟନୀତି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି।
