ଭାରତ ମାନଚିତ୍ରରେ ପିଓକେ ଏବଂ ଗିଲଗିଟ୍- ବାଲ୍ଟିସ୍ତାନ
1 min read

ଭାରତ ମାନଚିତ୍ରରେ ପିଓକେ ଏବଂ ଗିଲଗିଟ୍- ବାଲ୍ଟିସ୍ତାନ

ନୂଆଦିଲ୍ଲୀ : କାଶ୍ମୀରକୁ ନେଇ ପୁଣିଥରେ ବଢିଛି ଭାରତ-ପାକିସ୍ତାନ ବିବାଦ।ଏଥର ଚର୍ଚ୍ଚାର କେନ୍ଦ୍ରରେ ରହିଛି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ଏକ ପ୍ରମୋସନାଲ୍ ଭିଡିଓ। 

ଭିଡିଓରେ ଭାରତର ମାନଚିତ୍ରରେ ପିଓକେ  ଏବଂ ଗିଲଗିଟ୍ବା ଲ୍ଟିସ୍ତାନ ଅଞ୍ଚଳକୁ ଭାରତର ମାନଚିତ୍ର ଭିତରେ ଦେଖାଯାଇଥିବା ନେଇ ପାକିସ୍ତାନରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ୍ ମିଡିଆରେ ଅନେକ ପାକିସ୍ତାନୀ ୟୁଜର୍ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆକ୍ସନ୍ ନେବାକୁ ଦାବି କରିଥିବା ରିପୋର୍ଟ ଆସିଛି। ଏପରିକି ଏହି ମାମଲା କୂଟନୈତିକ ସ୍ତରକୁ ମଧ୍ୟ ଯାଇଥିବା କୁହାଯାଉଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଗାମୀ ଟି-୨୦ ସିରିଜ୍ ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏକ ପ୍ରମୋସନାଲ୍ ଭିଡିଓ ଜାରି କରିଥିଲା। ଏହି ଭିଡିଓର ଗୋଟିଏ ଫ୍ରେମ୍‌ରେ PoK ଏବଂ ଗିଲଗିଟ୍-ବାଲ୍ଟିସ୍ତାନ ଭାରତର ମାନଚିତ୍ର ଭିତରେ ଦେଖାଯାଇଥିଲା। ଏହାକୁ ନେଇ ପାକିସ୍ତାନୀ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆସିଥିଲା।

୧୯୪୭ରୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ଚାଲିଆସୁଛି ବଡ଼ ଭୂ-ରାଜନୈତିକ ବିବାଦ। ବର୍ତ୍ତମାନ କାଶ୍ମୀର ଅଞ୍ଚଳର ବିଭିନ୍ନ ଭାଗ ଭାରତ, ପାକିସ୍ତାନ ଏବଂ ଚୀନର ପ୍ରଶାସନିକ ନିୟନ୍ତ୍ରଣରେ ରହିଛି। ଭାରତ ସମଗ୍ର ଜମ୍ମୁ-କାଶ୍ମୀର ଓ ଲଦାଖ ଉପରେ ନିଜର ସାର୍ବଭୌମ ଦାବି ରଖିଆସିଛି। ଅନ୍ୟପଟେ ପାକିସ୍ତାନ ମଧ୍ୟ କାଶ୍ମୀରକୁ ନେଇ ନିଜର ଦାବି ରଖେ। ଏହି କାରଣରୁ ମାନଚିତ୍ରରେ କାଶ୍ମୀରକୁ କିପରି ଦେଖାଯାଉଛି, ତାହା ଦୁଇ ଦେଶ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।  ଆଫଗାନିସ୍ତାନର ଏହି ପ୍ରମୋସନାଲ୍ ଭିଡିଓ ପରେ ପାକିସ୍ତାନୀ ସୋସିଆଲ୍ ମିଡିଆ ୟୁଜର୍ମାନଙ୍କ ଏକ ଅଂଶ ଅସନ୍ତୋଷ ପ୍ରକାଶ କରିଥିଲେ। କିଛି ୟୁଜର୍ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆଫଗାନିସ୍ତାନ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହି ବିଷୟକୁ ନେଇ ପାକିସ୍ତାନ ପକ୍ଷରୁ ମଧ୍ୟ ଆପତ୍ତି ଉଠାଯାଇଥିବା ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *