୩ ଦିନ ହାଲୁକା ବର୍ଷା, ୯ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା
1 min read

୩ ଦିନ ହାଲୁକା ବର୍ଷା, ୯ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ବ୍ୟୁରୋ): ରାଜ୍ୟରେ ଏବେ ବର୍ଷାର ପରିମାଣ ଓ ବିସ୍ତାର କମିଥିଲେ ମଧ୍ୟ ଆଗାମୀ ୩ ଦିନ ଧରି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଏହାପରେ ସେପ୍ଟେମ୍ବର ୯ ତାରିଖରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପଡ଼ୋଶୀ ରାଜ୍ୟ ଉପରେ ସକ୍ରିୟ ଥିବା ଟ୍ରଫ୍ ଲାଇନ୍‌ର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେଉଛି। ଏହି ସମୟରେ କେତେକ ସ୍ଥାନରେ ମେଘୁଆ ପାଗ ସହ ଝଟକା ପବନ ମଧ୍ୟ ଅନୁଭୂତ ହୋଇପାରେ।

ଆସନ୍ତାକାଲି ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ଝଟକା ପବନର ସମ୍ଭାବନା ରହିଛି। ଏହାକୁ ନେଇ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପ୍ଟେମ୍ବର ୯ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି। ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଏପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗରରେ ସର୍ବାଧିକ ୬୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଜୁନ୍ ୧ ତାରିଖରୁ ଏଯାବତ୍ ରାଜ୍ୟରେ ମୋଟ ୧୧୭୫.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୯୭୩.୯ ମିଲିମିଟର ଥିବାରୁ ଏଯାବତ୍ ବର୍ଷା ପରିମାଣ ସ୍ୱାଭାବିକଠାରୁ ପ୍ରାୟ ୨୧ ପ୍ରତିଶତ ଅଧିକ ରହିଛି। ତେବେ ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଏବେ ବି ନିଅଣ୍ଟିଆ ବର୍ଷା ସ୍ଥିତି ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦେଶର ଉତ୍ତର ଓ ପୂର୍ବ ଭାଗର କେତେକ ରାଜ୍ୟରେ ମଧ୍ୟ ବଜ୍ରପାତ ଓ ଝଡ଼ବର୍ଷା ନେଇ ସତର୍କତା ଜାରି ହୋଇଛି। କେତେକ ସ୍ଥାନରେ ନଦୀ ଜଳସ୍ତର ବୃଦ୍ଧି ଏବଂ କୁଆପଥର ବର୍ଷାର ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *