ଦିଲ୍ଲୀରେ କୋଠା ଭୁଶୁଡ଼ିଲା, ୬ ମୃତ; ଭଗ୍ନାବଶେଷ ତଳେ ୫୦ରୁ ଅଧିକ ଫସିଥିବା ଆଶଙ୍କା
1 min read

ଦିଲ୍ଲୀରେ କୋଠା ଭୁଶୁଡ଼ିଲା, ୬ ମୃତ; ଭଗ୍ନାବଶେଷ ତଳେ ୫୦ରୁ ଅଧିକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ ପୁରୁଣା ବହୁତଳ କୋଠା ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ଏହି ଘଟଣାରେ ଏଯାବତ୍‌ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଭଗ୍ନାବଶେଷ ମଧ୍ୟରୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଉଦ୍ଧାର ହୋଇଥିବା ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଯାଇଛି।

ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ପୁଲିସ, ଏନ୍‌ଡିଆର୍‌ଏଫ୍‌ ଏବଂ ସିଭିଲ୍‌ ଡିଫେନ୍ସ ଟିମ୍‌ ମିଳିତ ଭାବେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ମୁତୟନ କରାଯାଇଛି। ଭଗ୍ନାବଶେଷକୁ ସତର୍କତାର ସହ ହଟାଇ ଭିତରେ ଫସିଥିବା ଲୋକଙ୍କୁ ଖୋଜାଯାଉଛି।

ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୪୦ରୁ ୫୦ ବର୍ଷ ପୁରୁଣା ଏହି କୋଠାକୁ ପିଜି ହଷ୍ଟେଲ୍‌ ଭାବେ ବ୍ୟବହାର କରାଯାଉଥିଲା। କୋଠାର ତଳ ମହଲାରେ ମରାମତି କାମ ଚାଲିଥିବା ସମୟରେ ଏହା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଆଖପାଖର କୋଠାଗୁଡ଼ିକୁ ମଧ୍ୟ ଖାଲି କରାଯାଇଛି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେ ଆହତଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ପୁଲିସ କମିଶନର ଓ ଏନ୍‌ଡିଆର୍‌ଏଫ୍‌ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିବା ଜଣାପଡ଼ିଛି। ଉଦ୍ଧାର ଅଭିଯାନ ଏବେ ମଧ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *