ବିଜେପି କାର୍ଯ୍ୟକାରିଣୀରେ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
1 min read

ବିଜେପି କାର୍ଯ୍ୟକାରିଣୀରେ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

କଟକ: ୨୦୨୪ ସାଧାରଣ ନିର୍ବାଚନ ପରେ ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଓଡ଼ିଶା ବିଜେପି ନିଜ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଛି। କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଏନେଇ ଦିଆଯାଇଛି ଅନେକ ପରାମର୍ଶ।

ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍‌. ସନ୍ତୋଷ କର୍ମକର୍ତ୍ତାଙ୍କୁ ଲୋକଙ୍କ ସହ ଅଧିକ ଯୋଡ଼ିହେବାକୁ ଆହ୍ୱାନ ଦେଇଛନ୍ତି। ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ସଂଗଠନ ଓ ସରକାର କିଭଳି ଏକାଠି ହୋଇ କାର୍ଯ୍ୟ କରିବେ, ସେନେଇ ମଧ୍ୟ ଦଳୀୟ ନେତୃତ୍ୱକୁ ଦିଆଯାଇଛି ଦିଗଦର୍ଶନ।

ବିଧାୟକ, ସାଂସଦ ଓ ଦଳୀୟ କର୍ମକର୍ତ୍ତାମାନେ ଏକାଠି କାମ କରିବାକୁ ଶ୍ରୀ ସନ୍ତୋଷ ପରାମର୍ଶ ଦେଇଛନ୍ତି। ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ଓ ରୋଡ୍‌ମ୍ୟାପ୍‌କୁ ନେଇ ବୈଠକରେ ଆଲୋଚନା ହୋଇଛି। ଆଗାମୀ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ପୂର୍ବପ୍ରସ୍ତୁତି ଏବଂ ସୂକ୍ଷ୍ମ କାର୍ଯ୍ୟଯୋଜନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଦଳ କ୍ଷମତାକୁ ଆସିବା ପରେ ଅହଂକାର ନଆଣି ସମାଜର ଗରିବ ଓ ନିଷ୍ପେଷିତ ବର୍ଗଙ୍କ ସେବାକୁ ପ୍ରାଥମିକତା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଆସନ୍ତା ନିର୍ବାଚନଗୁଡ଼ିକରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି।

ବୈଠକରେ ବିରୋଧୀ କଂଗ୍ରେସ ଓ ବିଜେଡି ବିରୋଧରେ ମଧ୍ୟ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଦେଶର ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ୨.୬ ପ୍ରତିଶତ ବୋଲି ଦର୍ଶାଉଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ‘ବନ୍ଦେ ମାତରମ୍‌’, ମହିଳା ସଂରକ୍ଷଣ ବିଲ୍‌, ‘ଦିମାଗୀ ନର୍ଫ’ ଭଳି ପ୍ରସଙ୍ଗ ଏବଂ ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ପ୍ରଚାର ବିରୋଧରେ ମଧ୍ୟ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଛି।

ବୈଠକରେ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି।

Leave a Reply

Your email address will not be published. Required fields are marked *