ନୂଆଖାଇ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର; ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ
1 min read

ନୂଆଖାଇ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର; ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ

ଭୁବନେଶ୍ୱର: ନୂଆଖାଇ ପର୍ବ ପୂର୍ବରୁ ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଶିକ୍ଷା ସଦନରେ ଆୟୋଜିତ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି।

ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଜଣ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ଡିବିଟି ମାଧ୍ୟମରେ ସେମାନଙ୍କ ଖାତାକୁ ୮୩୩ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି।

ଏହି ଅର୍ଥରାଶି ୨୦୨୬-୨୭ ରବି ଫସଲ ପୂର୍ବରୁ ବିହନ, ସାର ଓ କୀଟନାଶକ ଭଳି କୃଷି ସାମଗ୍ରୀ କିଣିବାରେ ଚାଷୀଙ୍କୁ ସହାୟତା କରିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ ଚାଷୀ ଓ ଭୂମିହୀନ ପରିବାରଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ। ସିଏମ୍-କିଷାନ ଯୋଜନା ମାଧ୍ୟମରେ ସରକାର କେବଳ ଆର୍ଥିକ ସହାୟତା ଦେଉନାହାନ୍ତି, ବରଂ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ଶ୍ରମକୁ ଉଚିତ ସମ୍ମାନ ଦେଉଛନ୍ତି।

କୃଷି ସାମଗ୍ରୀ କ୍ରୟଠାରୁ ଆରମ୍ଭ କରି ଆନୁଷଙ୍ଗିକ ଜୀବିକା ଏବଂ ଚାଷୀ ପରିବାରର ପିଲାମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ଯୋଗାଇଦେବା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି।

ଏହି ପର୍ଯ୍ୟାୟରେ ଆର୍ଥିକ ହସ୍ତାନ୍ତର ମାଧ୍ୟମରେ ୪୧,୩୭,୭୮୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୩,୯୪୯ ଜଣ ଭୂମିହୀନ କୃଷି ପରିବାର ଏବଂ ୩୨୯ଟି ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଥିବା ସୂଚନା ମିଳିଛି।

ଏହାସହ ଚଳିତ ୨୦୨୬-୨୭ ଖରିଫ ଋତୁ ପାଇଁ ଧାନ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି।

ପ୍ରବଳ ବନ୍ୟା ଯୋଗୁଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୧,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି। ରାଜସ୍ୱ ଓ କୃଷି ବିଭାଗର କ୍ଷୟକ୍ଷତି ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦିଆଯିବ।

ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଚାଷୀଙ୍କ ବାର୍ଷିକ ଆୟକୁ ଦୁଇଗୁଣ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି କୁହାଯାଇଛି।

‘ସମୃଦ୍ଧ କୃଷକ ଯୋଜନା’ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପି ସହ ରାଜ୍ୟର ଇନପୁଟ୍ ସହାୟତାକୁ ମିଶାଇ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କ୍ରୟ କରାଯାଉଛି। ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଇବାର ବ୍ୟବସ୍ଥା ରହିଛି।

ଚାଷୀ ପରିବାରର ପିଲାମାନଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ ‘କୃଷି ବିଦ୍ୟାନିଧି ଯୋଜନା’ ମଧ୍ୟ କାର୍ଯ୍ୟକାରୀ ହେଉଛି। ଏଥିସହ ସରକାରୀ ସୁବିଧା ପାଇବା ପାଇଁ ଚାଷୀମାନେ ‘ଫାର୍ମର୍ସ ରେଜିଷ୍ଟ୍ରି’ରେ ନିଜ ଜମି ସମ୍ପର୍କିତ ତଥ୍ୟ ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇଭଉଣୀଙ୍କୁ ଆଗୁଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *