ପାନୀୟ ଜଳ ନ ମିଳିବାରୁ ଗରା ଧରି ବ୍ଲକ୍‌ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତିବାଦ
1 min read

ପାନୀୟ ଜଳ ନ ମିଳିବାରୁ ଗରା ଧରି ବ୍ଲକ୍‌ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତିବାଦ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବାଲୁଖାଇ ଗ୍ରାମବାସୀ ପ୍ରାୟ ୧୬ ଦିନ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଗ୍ରାମର ମହିଳାମାନେ ହାତରେ ଗରା, ବାଲ୍‌ଟି ଓ ମାଠିଆ ଧରି ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ପହଞ୍ଚି ପ୍ରତିବାଦ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ୬୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଗୋଟିଏ କୂଅ ଓ ଦୁଇଟି ନଳକୂପ ରହିଛି। ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ପାଇପ୍‌ ଯୋଗେ କିଛି ବର୍ଷ ହେଲା ଜଳ ଯୋଗାଣ କରାଯାଉଥିଲା। ହେଲେ ପ୍ରାୟ ୧୬ ଦିନ ହେବ ପାଇପ୍‌ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି।

ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ମହିଳାମାନେ ବାଧ୍ୟ ହୋଇ ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ।

ଶୀଘ୍ର ପାନୀୟ ଜଳ ଯୋଗାଣ ସ୍ୱାଭାବିକ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ, ଗ୍ରାମର ସରପଞ୍ଚ ସୁରେଖା ସାହୁ କହିଛନ୍ତି ଯେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀଙ୍କୁ ପଞ୍ଚାୟତକୁ ଡକାଯାଇଥିଲା, ହେଲେ ସେମାନେ ଆସିନଥିଲେ।

Leave a Reply

Your email address will not be published. Required fields are marked *