ମହାପ୍ରଭୁଙ୍କ ସମ୍ପତ୍ତି କେତେ? ବ୍ୟାଙ୍କରେ ୧,୯୧୧ କୋଟିରୁ ଅଧିକ ଜମା, ୬୦,୮୨୧ ଏକର ଜମି
1 min read

ମହାପ୍ରଭୁଙ୍କ ସମ୍ପତ୍ତି କେତେ? ବ୍ୟାଙ୍କରେ ୧,୯୧୧ କୋଟିରୁ ଅଧିକ ଜମା, ୬୦,୮୨୧ ଏକର ଜମି

ପୁରୀ: କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ପରିମାଣକୁ ନେଇ ସବୁବେଳେ ଭକ୍ତମାନଙ୍କ ମନରେ କୌତୂହଳ ରହିଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ, ମହାପ୍ରଭୁଙ୍କ ନାମରେ ବ୍ୟାଙ୍କରେ ୧,୯୧୧ କୋଟି ୮୦ ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ମହାପ୍ରଭୁଙ୍କ ନାମରେ ମୋଟ ୬୦,୮୨୧ ଏକର ଜମି ରହିଥିବା ଜଣାପଡ଼ିଛି।

ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ମନ୍ଦିରର ବ୍ୟାଙ୍କ ଜମା ୧,୯୧୧ କୋଟି ୮୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏଥିରୁ ୩ଟି ସ୍ୱତନ୍ତ୍ର ଯୋଜନା ଅଧୀନରେ ୧,୮୧୧ କୋଟି ୧୦ ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍‌ ବା ସ୍ଥାୟୀ ଜମା ଭାବେ ରଖାଯାଇଛି। ବିଭିନ୍ନ ସେଭିଂସ୍‌ ଓ ଅନ୍ୟ ଆକାଉଣ୍ଟରେ ଆହୁରି ୧୦୦ କୋଟି ୭୧ ଲକ୍ଷ ଟଙ୍କା ଜମା ରହିଛି।

ମୋଟ ଜମାରାଶି ମଧ୍ୟରୁ ପ୍ରାୟ ୧,୩୧୧ କୋଟି ୧୦ ଲକ୍ଷ ଟଙ୍କା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଗଚ୍ଛିତ ଥିବା ବେଳେ ପ୍ରାୟ ୫୦୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ୱତନ୍ତ୍ର କର୍ପସ୍‌ ପାଣ୍ଠି ଭାବେ ରହିଛି।

ମନ୍ଦିର ପ୍ରଶାସନ ଅନୁସାରେ, ଭକ୍ତଙ୍କ ଦାନ, ମନ୍ଦିର ଅଧୀନରେ ଥିବା ଖଣି ଖାଦାନରୁ ମିଳୁଥିବା ଅର୍ଥ, ସ୍ଥାୟୀ ଜମାରୁ ସୁଧ, ଜମି ବିକ୍ରି ଓ ଅଧିଗ୍ରହଣ ଏବଂ ସରକାରୀ ଅନୁଦାନ ମାଧ୍ୟମରେ ଏହି ଅର୍ଥ ଆସିଥାଏ।

ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଆରମ୍ଭ ହୋଇଥିବା ଡିଜିଟାଲ୍ ପ୍ଲାଟଫର୍ମ ‘ସମର୍ପଣ’ ମାଧ୍ୟମରେ ଦେଶବିଦେଶର ଭକ୍ତମାନେ ସହଜରେ ଦାନ କରିବା ସହ ରସିଦ ପାଇପାରୁଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଏହି ମାଧ୍ୟମରେ ୫୬ ଲକ୍ଷ ୭୧ ହଜାର ଟଙ୍କା ଦାନ ସଂଗ୍ରହ ହୋଇଥିବା ତଥ୍ୟରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *