୫୨ ମନ୍ଦିରରେ ସ୍ମାର୍ଟଫୋନ୍ ବ୍ୟାନ୍; ଦର୍ଶନ ପୂର୍ବରୁ ଜମା ଦେବାକୁ ପଡ଼ିବ ମୋବାଇଲ୍
ଫଟୋ, ଭିଡିଓ ଓ ରିଲ୍ସ ଉପରେ ରୋକ; ଫୋନ୍ ପିଛା ୫ ଟଙ୍କା ଦେଇ ମିଳିବ ଟୋକନ୍
ଚେନ୍ନାଇ: ମନ୍ଦିର ପରିସରରେ ଫଟୋ, ଭିଡିଓ ଓ ରିଲ୍ସ ତିଆରି ଉପରେ ରୋକ ଲଗାଇବାକୁ ତାମିଲନାଡୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରମୁଖ ୫୨ଟି ମନ୍ଦିରରେ ମଙ୍ଗଳବାରଠାରୁ ସ୍ମାର୍ଟଫୋନ୍ ବ୍ୟବହାର ନିଷିଦ୍ଧ କରାଯାଇଛି। ମନ୍ଦିର ଭିତରକୁ ସ୍ମାର୍ଟଫୋନ୍ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ପୂର୍ବରୁ ପ୍ରବେଶପଥ ନିକଟରେ ଥିବା ନିର୍ଦ୍ଧାରିତ କାଉଣ୍ଟରରେ ଫୋନ୍ ଜମା କରିବାକୁ ପଡ଼ିବ।
ହିନ୍ଦୁ ରିଲିଜିୟସ୍ ଆଣ୍ଡ ଚ୍ୟାରିଟେବୁଲ୍ ଏଣ୍ଡୋୱମେଣ୍ଟସ୍ ମନ୍ତ୍ରୀ ରମେଶ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଆଧାର କରି ମନ୍ଦିରଗୁଡ଼ିକରେ ଏହି ନିୟମ ଲାଗୁ କରାଯାଇଥିବା ସେ କହିଛନ୍ତି।
ନୂଆ ବ୍ୟବସ୍ଥା ଅନୁସାରେ, ସ୍ମାର୍ଟଫୋନ୍ ଜମା କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଫୋନ୍ ପିଛା ୫ ଟଙ୍କା ଦେବାକୁ ପଡ଼ିବ। ଫୋନ୍ ଜମା ନେବା ପରେ କାଉଣ୍ଟରରୁ ଶ୍ରଦ୍ଧାଳୁଙ୍କୁ ସ୍ଲିପ୍ କିମ୍ବା ପ୍ଲାଷ୍ଟିକ୍ ଟୋକନ୍ ଦିଆଯିବ। ଦର୍ଶନ ସାରି ଫେରିବା ପରେ ଟୋକନ୍ କିମ୍ବା ସ୍ଲିପ୍ ଦେଖାଇ ନିଜ ମୋବାଇଲ୍ ଫେରାଇ ନେଇପାରିବେ।
ତେବେ କ୍ୟାମେରା ନଥିବା ସାଧାରଣ ମୋବାଇଲ୍ ଫୋନ୍ ମନ୍ଦିର ଭିତରକୁ ନେବା ଉପରେ କୌଣସି ରୋକ ନଥିବା କୁହାଯାଇଛି। ମୁଖ୍ୟତଃ ସ୍ମାର୍ଟଫୋନ୍ ମାଧ୍ୟମରେ ଫଟୋ ଉଠାଇବା, ଭିଡିଓ ରେକର୍ଡିଂ କରିବା ଓ ସୋସିଆଲ୍ ମିଡିଆ ପାଇଁ ରିଲ୍ସ ତିଆରି କରିବାକୁ ରୋକିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।
ମନ୍ଦିର ପରିସରରେ ଯୁବଗୋଷ୍ଠୀଙ୍କ ଦ୍ୱାରା ଫଟୋ, ଭିଡିଓ ଓ ରିଲ୍ସ ପ୍ରସ୍ତୁତ କରାଯାଉଥିବା ଘଟଣାକୁ ନେଇ ଆପତ୍ତି ଉଠିଥିଲା। ଧାର୍ମିକ ସ୍ଥାନର ପବିତ୍ରତା ଓ ଶୃଙ୍ଖଳା ବଜାୟ ରଖିବା ଲାଗି ଏଭଳି ପଦକ୍ଷେପ ଆବଶ୍ୟକ ହୋଇଥିବା ସରକାର ପକ୍ଷରୁ କୁହାଯାଇଛି।
କାଞ୍ଚିପୁରମ୍ର ଏକ ପ୍ରମୁଖ ମନ୍ଦିରରେ ମଙ୍ଗଳବାର ସକାଳ ୬ଟାରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ମୋବାଇଲ୍ ଫୋନ୍ ସଂଗ୍ରହ ଓ ଫେରସ୍ତ ପାଇଁ ଦୁଇଜଣ କମ୍ପ୍ୟୁଟର ଅପରେଟର ଏବଂ ଦୁଇଜଣ ସହାୟକଙ୍କୁ ନିୟୋଜିତ କରାଯାଇଛି। ଫୋନ୍ ଜମା ନେବା ସମୟରେ ଏହାର ମଡେଲ୍ ଓ ନମ୍ବର ଆଦି ରେକର୍ଡ କରାଯାଉଛି। ଶ୍ରଦ୍ଧାଳୁଙ୍କୁ ଏହାର ପ୍ରମାଣ ସ୍ୱରୂପ ସ୍ଲିପ୍ ପ୍ରଦାନ କରାଯାଉଛି।
ଦର୍ଶନ ପରେ ଶ୍ରଦ୍ଧାଳୁ ସ୍ଲିପ୍ ଦାଖଲ କଲେ ରେକର୍ଡ ଯାଞ୍ଚ କରାଯାଇ ମୋବାଇଲ୍ ଫେରସ୍ତ କରାଯାଉଛି। ଏହି ବ୍ୟବସ୍ଥା ଫଳରେ ମନ୍ଦିର ପରିସରରେ ଅନାବଶ୍ୟକ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ଉପରେ ନିୟନ୍ତ୍ରଣ ଆସିବା ସହ ଦର୍ଶନ ସମୟରେ ଶୃଙ୍ଖଳା ବଜାୟ ରହିବ ବୋଲି ଆଶା କରାଯାଉଛି।
