ପଶ୍ଚିମ ଏସିଆ ଯୁଦ୍ଧ ଝଟକା: ଖୋଲୁ ଖୋଲୁ ଧସିଲା ସେୟାର ବଜାର
ସେନ୍ସେକ୍ସ ୭୦୦ ପଏଣ୍ଟ ତଳକୁ, ନିଫ୍ଟିରେ ୨୦୩ ପଏଣ୍ଟ ହ୍ରାସ; କ୍ରୁଡ୍ ଅଏଲ୍ ଦର ୨% ବଢ଼ିଲା
ମୁମ୍ବାଇ: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତିର ପ୍ରଭାବ ସିଧାସଳଖ ଭାବେ ବିଶ୍ୱ ଆର୍ଥିକ ବଜାରରେ ପଡ଼ିଛି। ଏହାର ଝଟକାରୁ ଭାରତୀୟ ସେୟାର ବଜାରରେ ମଧ୍ୟ ବଡ଼ ଧରଣର ବିକ୍ରି ଚାପ ଦେଖାଦେଇଛି। ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରାୟ ୭୦୦ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୨୦୩ ପଏଣ୍ଟ ହ୍ରାସ ପାଇଛି।
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଉତ୍ତେଜନା ଯୋଗୁଁ ବିଶ୍ୱ ବଜାରରେ ଅନିଶ୍ଚିତତା ଓ ଅସ୍ଥିରତା ବଢ଼ିଛି। ଏହାର ପ୍ରଭାବରେ ନିବେଶକମାନେ ସତର୍କ ହୋଇପଡ଼ିଥିବା ବେଳେ ଭାରତୀୟ ବଜାରରେ ମଧ୍ୟ ବିକ୍ରି ଚାପ ବୃଦ୍ଧି ପାଇଛି।
ଯୁଦ୍ଧ ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଅଶୋଧିତ ତୈଳ ବଜାରରେ। ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ ଦର ହଠାତ୍ ପ୍ରାୟ ୨ ପ୍ରତିଶତ ବଢ଼ିଛି। ତୈଳ ଦର ବୃଦ୍ଧି ଆଗାମୀ ଦିନରେ ମୁଦ୍ରାସ୍ଫୀତି ଓ କମ୍ପାନୀଗୁଡ଼ିକର ଖର୍ଚ୍ଚ ଉପରେ ଚାପ ବଢ଼ାଇପାରେ ବୋଲି ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ବଜାରରେ ବ୍ୟାଙ୍କିଙ୍ଗ୍, ଆଇଟି ଏବଂ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକର ସେୟାରରେ ହ୍ରାସ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ବଜାରର ଦୁର୍ବଳ ସଙ୍କେତ, ଯୁଦ୍ଧଜନିତ ଅନିଶ୍ଚିତତା ଏବଂ କ୍ରୁଡ୍ ଅଏଲ୍ ଦର ବୃଦ୍ଧି ଭାରତୀୟ ଇକ୍ୱିଟି ବଜାର ଉପରେ ଚାପ ସୃଷ୍ଟି କରିଛି।
ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ଆଗକୁ କେତେ ଦୂର ଗଡ଼ାଏ ଏବଂ ତୈଳ ଦର କେଉଁ ସ୍ତରକୁ ଯାଏ, ତା’ ଉପରେ ବିଶ୍ୱ ସହ ଭାରତୀୟ ବଜାରର ଗତିପଥ ନିର୍ଭର କରିବ।
