ଆନ୍ଧ୍ରରେ ୫ ହଜାର ମନ୍ଦିର ନିର୍ମାଣକୁ ଗତି; ତ୍ୱରାନ୍ୱିତ କରିବାକୁ ନାଇଡୁଙ୍କ ନିର୍ଦ୍ଦେଶ
ଅମରାବତୀ: ଆନ୍ଧ୍ରପ୍ରଦେଶରେ ଧାର୍ମିକ ଭିତ୍ତିଭୂମି ବିକାଶକୁ ନେଇ ବଡ଼ ପଦକ୍ଷେପ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ୫ ହଜାର ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ଓ ଚୂଡ଼ାନ୍ତ ପ୍ରକ୍ରିୟା ଶୀଘ୍ର ସାରିବା ସହ ସ୍ଥାନ ନିର୍ଦ୍ଧାରଣ ପରେ ତୁରନ୍ତ ନିର୍ମାଣ ଆରମ୍ଭ କରିବାକୁ ଟିଟିଡି ଓ ଏଣ୍ଡାଓମେଣ୍ଟସ ବିଭାଗକୁ କୁହାଯାଇଛି।
ସରକାରଙ୍କ ସମୀକ୍ଷା ବୈଠକରେ ତିରୁମାଲା ତିରୁପତି ଦେବସ୍ଥାନମ୍ସ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ମୁଦ୍ଦାଦା ରବି ଚନ୍ଦ୍ର ମନ୍ଦିର ନିର୍ମାଣ ସମ୍ପର୍କିତ ଅଗ୍ରଗତିର ତଥ୍ୟ ଦେଇଥିଲେ। ତାଙ୍କ ସୂଚନା ଅନୁସାରେ, ରାଜ୍ୟର ୨୮ଟି ଜିଲ୍ଲାର ୧୬୧ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ମନ୍ଦିର ନିର୍ମାଣ ପାଇଁ ୪,୧୯୨ଟି ପ୍ରସ୍ତାବ ଆସିଛି। ଏଥିମଧ୍ୟରୁ ୯୬୭ଟି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି।
ପ୍ରସ୍ତାବିତ ମନ୍ଦିରଗୁଡ଼ିକ ନିର୍ମାଣରେ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ଅଞ୍ଚଳକୁ ପ୍ରାଥମିକତା ଦେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବସତି, ମତ୍ସ୍ୟଜୀବୀ ବସତି, ଦୁର୍ବଳ ବର୍ଗଙ୍କ ବସତି ଏବଂ ସାଧାରଣ ଅଞ୍ଚଳରେ ମନ୍ଦିର ନିର୍ମାଣକୁ ପ୍ରାଥମିକତା ଦିଆଯିବ। ଏହି ମନ୍ଦିରଗୁଡ଼ିକୁ ତିନୋଟି ବର୍ଗରେ ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ଏଥିସହ ଶ୍ରୀବାଣୀ ଟ୍ରଷ୍ଟର ପାଣ୍ଠିକୁ ମନ୍ଦିର ନିର୍ମାଣ ଓ ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟବହାର କରିବାକୁ ନାଇଡୁ ପରାମର୍ଶ ଦେଇଛନ୍ତି। ଟିଟିଡି ପକ୍ଷରୁ ହିନ୍ଦୁ ଧର୍ମ ଓ ଆଧ୍ୟାତ୍ମିକତାର ପ୍ରଚାର-ପ୍ରସାର ସହ ଜଡ଼ିତ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ନବନିର୍ମିତ ମନ୍ଦିରଗୁଡ଼ିକର ପରିଚାଳନା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଟିଟିଡିର ଶ୍ରୀବାରୀ ସେବା ସ୍ୱେଚ୍ଛାସେବକଙ୍କ ସହଯୋଗ ନେବାକୁ ମଧ୍ୟ ନାଇଡୁ କହିଛନ୍ତି। ବୋର୍ଡ ସଦସ୍ୟ, ଭକ୍ତ ଓ ଶ୍ରୀବାରୀ ସେବା ସ୍ୱେଚ୍ଛାସେବକଙ୍କୁ ନେଇ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବାର ସମ୍ଭାବନା ଉପରେ ବିଚାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ବିଭିନ୍ନ ବର୍ଗ ଓ ଅଞ୍ଚଳରେ ମନ୍ଦିର ନିର୍ମାଣ ଯୋଜନାକୁ ଶୀଘ୍ର ରୂପ ଦେବା ସହ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ସରକାର ଏବେ ଗୁରୁତ୍ୱ ଦେଇଥିବା ଦେଖାଯାଉଛି।
