ଓଡ଼ିଶା ସମବାୟ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ; ‘ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମେଗା ସମବାୟ ସଦସ୍ୟତା ଅଭିଯାନ **‘ସମ୍ବନ୍ଧ’**ର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ।
‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରୁ ଅତିକମରେ ଜଣେ ସଦସ୍ୟଙ୍କୁ ସମବାୟ ସଂସ୍ଥା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ ମୋବାଇଲ୍ ଆପ୍ଲିକେସନ୍ର ମଧ୍ୟ ଶୁଭାରମ୍ଭ କରାଯିବ।
ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ଚାଷୀଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମାଞ୍ଚଳରେ ସମବାୟ ସେବାକୁ ଅଧିକ ସହଜରେ ପହଞ୍ଚାଇବା ଏବଂ ଗ୍ରାମୀଣ ଜୀବନଶୈଳୀକୁ ଅଧିକ ସରଳ ଓ ଉନ୍ନତ କରିବାରେ ସହାୟତା ମିଳିବ।
ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ର ପ୍ରାୟ ୩ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୧୪ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯିବ। ଏଥିସହ ରାଜ୍ୟ ସରକାରଙ୍କ ଅଂଶୀଦାର ଭାବେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ ଏହି ଅର୍ଥ ସମବାୟ କ୍ଷେତ୍ରର ବିକାଶରେ ବିନିଯୋଗ ହେବ।
ଚାଷୀଙ୍କୁ ଦ୍ରୁତ ଓ ସହଜରେ ସେବା ଯୋଗାଇବା ପାଇଁ ରାଜ୍ୟରେ ୫୦ଟି କୃଷି ସେବା କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ। ଏହାଦ୍ୱାରା ଛୋଟ ଓ ନାମମାତ୍ର ଚାଷୀମାନେ କମ୍ ମୂଲ୍ୟରେ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କରିବାର ସୁଯୋଗ ପାଇବେ।
ସେହିପରି ଗ୍ରାମାଞ୍ଚଳର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇବା ପାଇଁ ୪୬ଟି ଖାଉଟି କେନ୍ଦ୍ର ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ସେବାକୁ ସହଜରେ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୦ଟି ଜନସେବା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯିବ।
ସ୍ୱଚ୍ଛତା ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ୨୦୦ଟି ପ୍ୟାକ୍ସକୁ ନ୍ୟାସନାଲ୍ ପ୍ୟାକ୍ସ କମ୍ପ୍ୟୁଟରାଇଜେସନ୍ ସଫ୍ଟୱେରରେ ସାମିଲ କରାଯିବ। ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ସହ ୧୦୦ଟି ମଡେଲ୍ ମଣ୍ଡି ସ୍ଥାପନ କରାଯିବ।
ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ୩୮ଟି ମଡେଲ୍ ମଣ୍ଡି ମଧ୍ୟରୁ କଟକରେ ୨ଟି, ଖୋର୍ଦ୍ଧାରେ ୧ଟି ଓ ପୁରୀରେ ୧ଟି ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଅନ୍ୟ ମଣ୍ଡିଗୁଡ଼ିକ ପାଇଁ ସ୍ଥାନ ଚିହ୍ନଟ ସହ ଡିପିଆର୍ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।
ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ‘ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ ଅଧୀନରେ ନିର୍ମାଣ ହେବାକୁ ଥିବା ୧୯ଟି ଗୋଦାମ ମଧ୍ୟରୁ ୩ଟିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ୧୨ଟି ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଣ୍ୟାଗାର ନିଗମରେ ୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।
