ଭାରତ ସହ ଭଲ ସମ୍ପର୍କ ଢାକାର ସର୍ବୋତ୍ତମ ସ୍ୱାର୍ଥ ପାଇଁ : ଶେଖ ହସିନା
ନୂଆଦିଲ୍ଲୀ: ଭାରତ ସହ ଭଲ ସମ୍ପର୍କ ରଖିବା ବାଂଲାଦେଶର ସର୍ବୋତ୍ତମ ସ୍ୱାର୍ଥରେ ବୋଲି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉଥିବା ସମୟରେ ତାଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।
‘ଦି ସଣ୍ଡେ ଗାର୍ଡିଆନ’କୁ ଦେଇଥିବା ଏକ ସାକ୍ଷାତକାରରେ ହସିନା ବାଂଲାଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଭାରତ-ବାଂଲାଦେଶ ସମ୍ପର୍କ ନେଇ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ବାଂଲାଦେଶରେ କେବଳ କ୍ଷମତାର ମୁହଁ ବଦଳିଛି, କିନ୍ତୁ ଶାସନର ଦିଗ ବଦଳିନାହିଁ।
ମହମ୍ମଦ ୟୁନୁସଙ୍କ ଶାସନ ସମୟରେ ଆୱାମୀ ଲିଗ୍କୁ ଦୁର୍ବଳ କରିବା ଏବଂ ରାଜନୈତିକ ବିରୋଧୀଙ୍କୁ ବାଦ୍ ଦେବାର ରାଜନୀତି ଆରମ୍ଭ ହୋଇଥିଲା ବୋଲି ହସିନା ଅଭିଯୋଗ କରିଛନ୍ତି। ତାରିକ ରହମାନଙ୍କ ନେତୃତ୍ୱରେ ମଧ୍ୟ ଏହି ଧାରା ଜାରି ରହିଥିବା ସେ ଦାବି କରିଛନ୍ତି।
ବାଂଲାଦେଶ ଫେରି ରାଜନୀତିରେ ସକ୍ରିୟ ହେବା ନେଇ ହସିନା କହିଛନ୍ତି ଯେ, ରାଜନୀତି ତାଙ୍କ ପାଇଁ ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା ନୁହେଁ, ବରଂ ଏକ ଦାୟିତ୍ୱ। ଆୱାମୀ ଲିଗ୍ର ଅନେକ ନେତା ଓ କର୍ମୀ ଜେଲ୍ରେ ଥିବାବେଳେ ଆଉ କେତେକ ଲୁଚି ରହିଥିବା ଏବଂ ଅନେକ ନିଜ ଘର ଓ ବ୍ୟବସାୟ ହରାଇଥିବା ସେ କହିଛନ୍ତି।
ହସିନାଙ୍କ ଦାବି ଅନୁସାରେ, ତାଙ୍କ ଶାସନ ସମୟରେ ବାଂଲାଦେଶର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢୁଥିଲା। ବର୍ତ୍ତମାନ ଦେଶକୁ ଆର୍ଥିକ ସଙ୍କଟ ଓ ଅରାଜକତା ଆଡ଼କୁ ଠେଲି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଆୱାମୀ ଲିଗ୍ ଶାସନ ସମୟରେ ଜିଡିପି ଅଭିବୃଦ୍ଧି ୬.୦୮ ପ୍ରତିଶତ ଥିବାବେଳେ ଏହା ବର୍ତ୍ତମାନ ୨.୨୨ ପ୍ରତିଶତକୁ ଖସିଥିବା ସେ ଦାବି କରିଛନ୍ତି।
ଦେଶରେ ଗଣତନ୍ତ୍ର, ଧର୍ମନିରପେକ୍ଷତା, ବିକାଶ ଓ ମର୍ଯ୍ୟାଦା ପୁନରୁଦ୍ଧାର ପାଇଁ ସେ ବାଂଲାଦେଶବାସୀଙ୍କ ସହ ଠିଆ ହୋଇଥିବା ଶେଖ ହସିନା କହିଛନ୍ତି।
