ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
1 min read

ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ତାସକେଣ୍ଟ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଓଲି ଦାରାଜାଲି ଦୁସ୍ତଲିକ’ ପ୍ରଦାନ କରାଯାଇଛି। ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକାତ ମିର୍ଜିୟୋୟେଭ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଉଜବେକିସ୍ତାନ ମଧ୍ୟରେ ରଣନୈତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ବନ୍ଧୁତାକୁ ମଜବୁତ କରିବାରେ ମୋଦୀଙ୍କ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି।

ସମ୍ମାନ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦୁଇ ଦେଶର ଦୀର୍ଘଦିନର ବନ୍ଧୁତା ଏବଂ ଭାରତର ୧୪୦ କୋଟି ଲୋକଙ୍କୁ ସମର୍ପଣ କରିଛନ୍ତି। ଏହି ସମ୍ମାନ ସହ ବିଭିନ୍ନ ଦେଶ ପକ୍ଷରୁ ମୋଦୀଙ୍କୁ ମିଳିଥିବା ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନର ସଂଖ୍ୟା ୩୫ରେ ପହଞ୍ଚିଥିବା ଦାବି କରାଯାଇଛି।

ମୋଦୀ ଓ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ଡିଜିଟାଲ୍ ସଂଯୋଗ ଓ ନିବେଶ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା ହୋଇଛି। ଏହା ସହ ତିନୋଟି ସିଷ୍ଟର-ସିଟି ଓ ସିଷ୍ଟର-ଷ୍ଟେଟ୍ ଚୁକ୍ତିକୁ ଔପଚାରିକ ରୂପ ଦେବା ନେଇ ମଧ୍ୟ ଆଲୋଚନା ହୋଇଛି।

ଭାରତର ଗୁଜରାଟର ଗିଫ୍ଟ ସିଟି ଏବଂ ଉଜବେକିସ୍ତାନର ନୂତନ ତାସକେଣ୍ଟ ଭଳି ପ୍ରକଳ୍ପ ମଧ୍ୟରେ ଅଭିଜ୍ଞତା ଓ ପ୍ରଯୁକ୍ତି ବିନିମୟର ସମ୍ଭାବନା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିଛନ୍ତି।

ଗସ୍ତ ସମୟରେ ୟୁରାନିୟମ ଯୋଗାଣ ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବା ନେଇ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି। ଚଳିତ ବର୍ଷ ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗୀତାର ୧୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ଦୁଇ ଦେଶ ସମ୍ପର୍କକୁ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *