ସୁଭଦ୍ରା ଯୋଜନା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା! ଲାଟ୍ରିନ୍ ଟାଙ୍କିରୁ ମିଳିଲା ମୃତଦେହ
ଢେଙ୍କାନାଳ: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହ ପୋତି ଦେଇଥିବା ଅଭିଯୋଗ ଆସିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ଜୁଆଙ୍ଗ ସାହିରେ ଘଟିଛି।
ସୂଚନା ଅନୁଯାୟୀ, ଗାଁର ଗିରୀଶ ପ୍ରଧାନଙ୍କ ପତ୍ନୀ କୌଶଲ୍ୟା ଶୁକ୍ରବାର ସୁଭଦ୍ରା ଯୋଜନାର ଟଙ୍କା ପାଇଥିଲେ। ଏହି ଟଙ୍କା ଉଠାଇବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।
ଅଭିଯୋଗ ଅନୁସାରେ, ଗିରୀଶ ଉତ୍କ୍ଷିପ୍ତ ହୋଇ କୌଶଲ୍ୟାଙ୍କୁ ମାଡ଼ ମାରି ଘରକୁ ଆଣିଥିଲେ। ପରେ ରାତିରେ ନିଶାସକ୍ତ ଅବସ୍ଥାରେ ଶାବଳ ଓ ବାଡ଼ିରେ ମାଡ଼ ମାରି ତାଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି।
ମୃତ୍ୟୁ ପରେ ଗିରୀଶ ଘର ପଛପଟେ ଥିବା ଲାଟ୍ରିନ୍ ଟାଙ୍କି ଖୋଳି କୌଶଲ୍ୟାଙ୍କ ମୃତଦେହକୁ ସେଠାରେ ପୋତି ମାଟି ଘୋଡ଼ାଇ ଦେଇଥିବା ଜଣାପଡ଼ିଛି। ସକାଳେ ଟାଙ୍କି ଭିତରୁ କୌଶଲ୍ୟାଙ୍କ ହାତ ବାହାରକୁ ଦେଖାଯାଉଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସଦର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ଅଭିଯୁକ୍ତ ଗିରୀଶଙ୍କୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛି।
