କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ତୃତୀୟ ମହଲାକୁ ଚଢ଼ିବାକୁ ପଡୁଛି
1 min read

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ତୃତୀୟ ମହଲାକୁ ଚଢ଼ିବାକୁ ପଡୁଛି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ସରକାରୀ ଖାଦ୍ୟ। ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖକୁ ଖାଦ୍ୟ ଯୋଗାଣ ନହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଆଣିବାକୁ ପଡୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ଆସିଛି।

ନିୟମ ଅନୁଯାୟୀ, ହସ୍ପିଟାଲରେ ରୋଗୀଙ୍କ ପାଖକୁ ଖାଦ୍ୟ ପହଞ୍ଚାଇ ଦିଆଯିବା କଥା। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ସଂସ୍ଥା ଏହି ନିୟମ ପାଳନ କରୁନଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ପାଖକୁ ଖାଦ୍ୟ ଦେବା ତ ଦୂରର କଥା, କେତେକ ୱାର୍ଡକୁ ମଧ୍ୟ ଖାଦ୍ୟ ନେଇ ଯିବାକୁ ଦିଆଯାଉନଥିବା ଅଭିଯୋଗ ରହିଛି।

ଏପରିକି ତୃତୀୟ ମହଲାର ଏକ ସ୍ଥାନରେ ରୋଗୀଙ୍କୁ ଖାଦ୍ୟ ନେଇ ଆସିବାକୁ ବାଧ୍ୟ କରାଯାଉଥିବା କୁହାଯାଉଛି। ଏହାଦ୍ୱାରା ଦ୍ୱିତୀୟ ଓ ଚତୁର୍ଥ ମହଲାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାତରେ ଥାଳି ଧରି ତୃତୀୟ ମହଲାକୁ ଯିବାକୁ ପଡୁଥିବା ଅଭିଯୋଗ ମଧ୍ୟ ରହିଛି।

ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତି ଭୋଜନ—ଦିନକୁ ତିନିଥର ଖାଦ୍ୟ ପାଇଁ ରୋଗୀଙ୍କୁ ଏଭଳି ହଇରାଣ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଖାଦ୍ୟ ଯୋଗାଣରେ ମଧ୍ୟ ଅନିୟମିତତା ନେଇ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ରୋଗୀଙ୍କୁ ପାଣିଆ ଡାଲି ସହ ସ୍ୱାଦହୀନ ତରକାରୀ ଦିଆଯାଉଛି। ମେନୁ ଅନୁସାରେ ଖାଦ୍ୟ ମିଳୁନଥିବା ଏବଂ ଅନେକ ଆଇଟମ୍ ଥାଳିରୁ ଗାଏବ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି।

ଏହି ଅଭିଯୋଗ ନେଇ ଆଇନଜୀବୀ ରାଜୀବ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଜିଲ୍ଲା ହସ୍ପିଟାଲକୁ ରିପୋର୍ଟ ମାଗିଥିଲେ। ତଥାପି ଏହି ଅଭିଯୋଗ ସତ୍ତ୍ୱେ ଆବଶ୍ୟକ ସୁଧାର ନହେବାରୁ ସମ୍ପୃକ୍ତ ସଂସ୍ଥାର ମନମାନି ସହ ବିଭାଗୀୟ ଉଦାସୀନତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ରୋଗୀଙ୍କୁ ନିୟମ ଅନୁଯାୟୀ ସମୟରେ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ସହ ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *