ଓଏସଆରଟିସି ସିଏଓ ଙ୍କୁ ବାନ୍ଧିଲା ଭିଜିଲାନ୍ସ : କେରଳରେ ଠାବ ହେଲା ଦୁଇ ମହଲା କୋଠା

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଶୁକ୍ରବାର ଶ୍ରୀ ମଙ୍ଗରାଜଙ୍କ ବାସଭବନ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଶ୍ରୀ ମଙ୍ଗରାଜଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍‌ ହୋଇଥିଲେ। ଏକାଧିକ କୋଠା ସାଙ୍ଗକୁ, ବିପୁଳ ବ୍ୟାଙ୍କ ଜମା ଓ ବୀମା ସାଙ୍ଗକୁ ବହୁ ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ବର, ବାରିପଦାରେ ଏକାଧିକ ଘର ଓ ଫ୍ଲାଟ୍‌ ସହ ଶ୍ରୀ ମଙ୍ଗରାଜଙ୍କ କେରଳରେ ଥିବା ଏକ ଘରକୁ ତଦନ୍ତକାରୀ ଦଳ ଠାବ କରିବାରେ ସକ୍ଷମ ହୋଇଛି। ଏହି ଚଢ଼ଉରେ ଭିଜିଲାନ୍ସ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ମଙ୍ଗରାଜଙ୍କ ଭୁବନେଶ୍ବର ନନ୍ଦନକାନନ ରାସ୍ତାରେ ଥିବା ଦାମୀ ଆପାର୍ଟମେଣ୍ଟ ଜେଡ୍‌ ୱାନ (ଜେଡ୍‌-୧) ଇଷ୍ଟେଟରେ ଏକ ଫ୍ଲାଟ୍, ରସୁଲଗଡ଼ସ୍ଥିତ ପଳାଶୁଣି ନ୍ୟୁ କଲୋନୀରେ ୨ଟି ଦୁଇ ମହଲା କୋଠା, ବାରିପଦା ଷ୍ଟେସନରୋଡ୍ ଢିପସାହିରେ ଗୋଟିଏ ଘର, ଭୁବନେଶ୍ବର ପାଣ୍ଡରା ମୌଜାରେ ୨ଟି ଦାମୀ ପ୍ଲଟ୍‌, ବିଭିନ୍ନ ବ୍ୟାଙ୍କରେ ଥିବା ୧ କୋଟି ୪୦ ଲକ୍ଷ ୧୨ ହଜାର ୧୯୩ ଟଙ୍କା, ୨ଟି କାର୍‌ ଓ ୫୦୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଠାବ କରିଛି। ଏଥିସହ ବୀମା ଜମା ସମେତ ରାଜ୍ୟ ବାହାରେ ଥିବା ପ୍ଲଟ୍‌ ଓ କୋଠା ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଏସବୁ ସ୍ଥାନ ସମେତ ଭିଜିଲାନ୍ସ ଭୁବନେଶ୍ବର ଓଏସ୍‌ଆରଟିସି କାର୍ଯ୍ୟାଳୟ, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ ଏବଂ ଇଡ୍‌କୋ ଟାୱାରରେ ଥିବା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା।

Leave A Reply

Your email address will not be published.