୫ ଦିନ ପରେ ମିଳିଲେ ନିଖୋଜ ବ୍ୟକ୍ତି, ତାଳଗଛକୁ ଆଶ୍ରୟ କରି ବଞ୍ଚିଥିଲେ
ଧାମନଗର, ୧୯/୮: ଲଗାଣ ବର୍ଷା ଓ ବନ୍ୟା ମଧ୍ୟରେ ୫ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ବନ୍ୟାପାଣି ମଧ୍ୟରେ ଏକ ତାଳଗଛକୁ ଆଶ୍ରୟ କରି ସେ ଦୀର୍ଘ ୫ ଦିନ ଧରି ରହିଥିଲେ। ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଚାଲିଛି।
ଧାମନଗର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ବୈତରଣୀ ସମେତ କୋଚିଳା, ଗେଙ୍ଗୁଟି, କଣ୍ଡିଆ, ରେବ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଲଗାତାର ବନ୍ୟା ଯୋଗୁଁ ଅଞ୍ଚଳରେ ଘରଦ୍ୱାର, ରାସ୍ତାଘାଟ, ନଦୀବନ୍ଧ, ଚାଷବାସ ଓ ଅନ୍ୟାନ୍ୟ ସମ୍ପତ୍ତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଗତ ୧୪ ତାରିଖରେ ବନ୍ୟା ଆସିବା ସମୟରେ ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ଅଧୀନ ବାଲିପାଟଣା ଗ୍ରାମର ୧୦ ନମ୍ବର ୱାର୍ଡର ପ୍ରଭାକର ବେହେରାଙ୍କ ପୁଅ ସୁନନ୍ଦ ବେହେରା (୪୦) ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ମଙ୍ଗଳବାର ପୂର୍ବାହ୍ନରେ ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଏକ ତାଳଗଛକୁ ଆଶ୍ରୟ କରି ସେ ରହିଥିବା ଖବର ମିଳିଥିଲା। ସୂଚନା ପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁନନ୍ଦଙ୍କୁ ଉଦ୍ଧାର କରିଥିଲା।
ଦୀର୍ଘ ୫ ଦିନ ଧରି ବନ୍ୟାପାଣି ମଧ୍ୟରେ ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଉଦ୍ଧାର ପରେ ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।