ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ ପରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ି ଓ ଶିକ୍ଷା କ୍ଷେତ୍ରକୁ ନେଇ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବିଶେଷକରି ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆଟେମ୍ପ୍ଟ ସୀମା ବଢ଼ାଇବା ନେଇ ସେ ଘୋଷଣା କରିଛନ୍ତି।
ସିଭିଲ୍ ସର୍ଭିସ୍ ପରୀକ୍ଷାରେ ବଢ଼ିଲା ଆଟେମ୍ପ୍ଟ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବରୁ ସର୍ବାଧିକ ୬ଟି ଆଟେମ୍ପ୍ଟର ବ୍ୟବସ୍ଥା ଥିଲା। SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ଏହି ସୀମା ୯ଟି ଥିଲା। ଅନ୍ୟପଟେ SC ଓ ST ବର୍ଗର ପ୍ରାର୍ଥୀଙ୍କ ପାଇଁ ଆଟେମ୍ପ୍ଟ ସୀମା ନଥିଲା।
ଏହି ନିୟମରେ ପରିବର୍ତ୍ତନ ଯୁବପିଢ଼ିକୁ ସରକାରୀ ଚାକିରି ପାଇଁ ଅଧିକ ସୁଯୋଗ ଦେବ ବୋଲି ଆଶା କରାଯାଉଛି।
Gen Zକୁ ମାଝୀଙ୍କ ପରାମର୍ଶ
ସ୍ୱାଧୀନତା ଦିବସ ଭାଷଣରେ ମୁଖ୍ୟମନ୍ତ୍ରୀ Gen Z ଯୁବପିଢ଼ିଙ୍କୁ ବାହ୍ୟ ପ୍ରଭାବରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ପ୍ରଭାବରେ ଆସିବା ପରିବର୍ତ୍ତେ ନିଜ କ୍ୟାରିୟର ଗଢ଼ିବା ଉପରେ ଧ୍ୟାନ ଦେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି।
ନବମ-ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ବହି
ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି ମାଝୀ। ଏଣିକି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ବହି ଦିଆଯାଉଥିଲା।
ଏହା ସହ KGରୁ PG ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଯୋଗାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ପୁଣିଥରେ କହିଛନ୍ତି।
ନବମ-ଦଶମରେ ମଧ୍ୟ ମଧ୍ୟାହ୍ନ ଭୋଜନ
ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ରାଜ୍ୟର ବିଭିନ୍ନ ସ୍କୁଲରେ ୪୫ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।
ଖୋଲିବ ୧୮ ନୂଆ ସରକାରୀ କଲେଜ, ୪ ବିଶ୍ୱବିଦ୍ୟାଳୟ
ଉଚ୍ଚଶିକ୍ଷାକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟରେ ୧୮ଟି ନୂଆ ସରକାରୀ କଲେଜ ଏବଂ ୪ଟି ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯିବ ବୋଲି ମାଝୀ ଘୋଷଣା କରିଛନ୍ତି।
୫ ବର୍ଷରେ ୨୦ ଲକ୍ଷ ଚାକିରି ଲକ୍ଷ୍ୟ
୨୦୩୬ରେ ଓଡ଼ିଶା ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରିବ। ଏହାକୁ ନଜରରେ ରଖି ‘ସମୃଦ୍ଧ ଓଡ଼ିଶା’ର ରୋଡମ୍ୟାପ୍ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ୫ ବର୍ଷରେ ରାଜ୍ୟରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ମାଝୀଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷରେ ଓଡ଼ିଶାକୁ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହି ନିବେଶ ରାଜ୍ୟର ଶିଳ୍ପ ଓ ରୋଜଗାର କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ସରକାର ଆଶା ରଖିଛି।