ବାଜପେୟୀଙ୍କୁ ମନେ ପକାଇଲେ ମୋଦୀ, କହିଲେ—‘ଅସାଧାରଣ ରାଷ୍ଟ୍ରନାୟକ’
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାଜପେୟୀଙ୍କୁ ଜଣେ ଅସାଧାରଣ ରାଷ୍ଟ୍ରନାୟକ ଭାବେ ସ୍ମରଣ କରି ତାଙ୍କ ଦୂରଦୃଷ୍ଟି ଓ ନେତୃତ୍ୱର ପ୍ରଶଂସା କରିଛନ୍ତି ମୋଦୀ।
ମୋଦୀ କହିଛନ୍ତି, ବାଜପେୟୀଙ୍କ ଚିନ୍ତାଧାରା, ଉଦ୍ୟମ ଓ ନେତୃତ୍ୱ ଅନେକ ପିଢ଼ିକୁ ପ୍ରେରଣା ଦେଇଛି। ସୁଶାସନ ଓ ଜନକଲ୍ୟାଣ ପ୍ରତି ତାଙ୍କର ଗୁରୁତ୍ୱ ଆଜି ବି ଦେଶକୁ ମାର୍ଗଦର୍ଶନ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ ଦେଶସେବାରେ ଜୀବନ ସମର୍ପିତ କରିଥିବା ଜଣେ ମହାନ ଦେଶଭକ୍ତ ରାଜନେତା ଭାବେ ସ୍ମରଣ କରିଛନ୍ତି। ତାଙ୍କ ନେତୃତ୍ୱରେ ପରମାଣୁ ପରୀକ୍ଷଣ ଓ କାର୍ଗିଲ ଯୁଦ୍ଧ ସମୟରେ ଭାରତର ସାମର୍ଥ୍ୟ ବିଶ୍ୱ ସମ୍ମୁଖରେ ପ୍ରତିଷ୍ଠିତ ହୋଇଥିବା ଶାହ କହିଛନ୍ତି।
ସେହିପରି ବାଜପେୟୀଙ୍କ ମୂଲ୍ୟବୋଧଭିତ୍ତିକ ରାଜନୀତି ମାଧ୍ୟମରେ ଅନ୍ତ୍ୟୋଦୟ ଓ ସୁଶାସନର ଧାରଣାକୁ ଭୂମିସ୍ତରରେ ପହଞ୍ଚାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଶାହ ଉଲ୍ଲେଖ କରିଛନ୍ତି।
ରାଜନାଥ ସିଂହଙ୍କ ଶ୍ରଦ୍ଧାସୁମନ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାରତୀୟ ଗଣତନ୍ତ୍ର ଓ ଦେଶର ବିକାଶରେ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ତାଙ୍କ ପାଇଁ ରାଷ୍ଟ୍ରହିତ ଓ ଜନସେବା ହିଁ ରାଜନୀତିର ମୂଳ ଉଦ୍ଦେଶ୍ୟ ଥିଲା ବୋଲି ରାଜନାଥ କହିଛନ୍ତି।
ବାଜପେୟୀଙ୍କ ନେତୃତ୍ୱରେ ଭାରତ ରଣନୈତିକ ଶକ୍ତି, ଅର୍ଥନୈତିକ ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଉଚ୍ଚତା ହାସଲ କରିଥିବା ସେ ଉଲ୍ଲେଖ କରିଛନ୍ତି।
ତିନିଥର ହୋଇଥିଲେ ପ୍ରଧାନମନ୍ତ୍ରୀ
ଅଟଳ ବିହାରୀ ବାଜପେୟୀ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରେ ତାଙ୍କ ପ୍ରଥମ ସରକାର ମାତ୍ର ୧୩ ଦିନ ଚାଲିଥିଲା। ପରେ ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ପ୍ରାୟ ୧୧ ମାସ ଏବଂ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ପୂର୍ଣ୍ଣ ୫ ବର୍ଷ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୫ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।
