ଓଡ଼ିଶାରେ ଭାରି ବର୍ଷା ଆଶଙ୍କା; ମୟୂରଭଞ୍ଜ-ବାଲେଶ୍ୱରକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୬/୮: ବଙ୍ଗୋପସାଗରରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାର ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ରାଜ୍ୟର ଅନେକ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଜିଠାରୁ ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି।

ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍‌ ୱାର୍ଣ୍ଣିଂ

ଅତିଭାରି ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହୋଇପାରେ। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ନଦୀ ଜଳସ୍ତର ବୃଦ୍ଧିର ଆଶଙ୍କା ମଧ୍ୟ ରହିଛି। ବାଲେଶ୍ୱରର ଜଳକା ନଦୀ ପୂର୍ବରୁ ବିପଦସଙ୍କେତ ଅତିକ୍ରମ କରିଥିବା ଖବର ମଧ୍ୟ ଆସିଛି।

୬ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ

ଭାରି ବର୍ଷା ପାଇଁ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।

ସମୁଦ୍ର ଅଶାନ୍ତ; ମତ୍ସ୍ୟଜୀବୀଙ୍କୁ ସତର୍କତା

ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ସମୁଦ୍ରରେ ପବନର ବେଗ ୪୦ରୁ ୫୦ କିମି ପ୍ରତିଘଣ୍ଟା, ଝଟକାରେ ୬୦ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ରହିପାରେ। ସମୁଦ୍ର ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି।

୧୮ ଅଗଷ୍ଟ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ମନା

ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୮ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ IMD ନଜର ରଖିଛି।

ତେଣୁ ଆସନ୍ତା କିଛି ଦିନ ଓଡ଼ିଶା ପାଇଁ ବର୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲା ପ୍ରଶାସନର ପରାମର୍ଶ ମାନିବା ସହ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବା ଆବଶ୍ୟକ।

Leave A Reply

Your email address will not be published.