ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ

ନୂଆଦିଲ୍ଲୀ, : ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ପରୀକ୍ଷାରେ ସୁଧାର ପାଇଁ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଉନ୍ନତ କରାଯାଉଛି। ସେ କହିଛନ୍ତି ଯେ, ଆତଙ୍କବାଦକୁ ଆଶ୍ରୟ ଦେଉ ଥିବା ଦେଶ ସହିତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଜାତୀୟ ସ୍ୱାର୍ଥ, ବିଶେଷ କରି କୃଷକମାନଙ୍କ ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ।

ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି , ‘ ଅପରେସନ୍ ସିନ୍ଦୂର’ ଆତଙ୍କବାଦୀ ନେଟୱର୍କ ବିରୋଧରେ ସଠିକ ଆକ୍ରମଣ କରିବା, ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତାକୁ ପ୍ରଦର୍ଶିତ କରିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ, ସେମାନେ ଯେଉଁଠି ବି ଲୁଚି ରୁହନ୍ତୁ ନା କାହିଁକି। ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଭାରତକୁ ନକ୍ସଲ-ମୁକ୍ତ କରିବା ଏକ ବଡ଼ ଜାତୀୟ ସଫଳତା ଏବଂ ବସ୍ତରରେ ଦ୍ରୁତ ଗତିରେ ହେଉଥିବା ବିକାଶ ଓ ସାଂସ୍କୃତିକ ଭାଗିଦାରୀ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ସ୍ୱାଧୀନତାର ପ୍ରକୃତ ଅର୍ଥ ସେତେବେଳେ ପୂରଣ ହୋଇଥାଏ, ଯେତେବେଳେ ଦେଶର ସମସ୍ତ ନାଗରିକଙ୍କୁ ନିଜର ଆକାଂକ୍ଷା ପୂରଣ କରିବା ପାଇଁ ସମାନ ସୁଯୋଗ ମିଳେ ଏବଂ ସେମାନେ ଭାରତକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରିବାର ଲକ୍ଷ୍ୟରେ ନିଜର ଯୋଗଦାନ ଦିଅନ୍ତି। ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ତ୍ରିରଙ୍ଗା ଆମ ସ୍ୱାଧୀନତାର ପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟ ଏହାକୁ ଗର୍ବର ସହ ଉତ୍ତୋଳନ କରନ୍ତି। ରାଷ୍ଟ୍ରପତି କହିଛନ୍ତି , ୧୫ ଅଗଷ୍ଟ ୧୯୪୭ରେ ଭାରତ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା ଏବଂ ପ୍ରତ୍ୟେକ ନାଗରିକ ସ୍ୱାଧୀନ ଭାରତର ଭାଗ୍ୟ ନିର୍ମାତା ପାଲଟି ଥିଲେ। ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି ଯେ, ଦେଶ ଗଠନରେ ଛାତ୍ରଛାତ୍ରୀ, ଶିକ୍ଷକ, ବିଜ୍ଞାନୀ, ଇଞ୍ଜିନିୟର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶ୍ରମିକ ଏବଂ କୃଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ଖେଳାଳି, ଶିଳ୍ପୀ, କଳାକାର, ବୁଦ୍ଧିଜୀବୀ, ବେସରକାରୀ ଓ ସରକାରୀ କ୍ଷେତ୍ରର କର୍ମଚାରୀ, ଜନପ୍ରତିନିଧି, ନ୍ୟାୟ ବ୍ୟବସ୍ଥା ସହ ଜଡ଼ିତ ଅଧିକାରୀ, ସରକାରୀ କର୍ମଚାରୀ, ପୁଞ୍ଜିନିବେଶକ ଏବଂ ସାମାଜିକ କର୍ମୀମାନେ ମଧ୍ୟ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେଉଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟଗୁଡ଼ିକୁ ନିଷ୍ଠାର ସହ ପାଳନ କରୁଥିବା ପ୍ରତ୍ୟେକ ନାଗରିକ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ଅଟନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ନାଗରିକଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ କହିଛନ୍ତି , ଦେଶର ପ୍ରଗତି ହେଉଛି ସମୂହ ପ୍ରୟାସର ଫଳ। ସେ ତିନି ସେନା, ସଶସ୍ତ୍ର ପୁଲିସ ବାହିନୀ ଏବଂ ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ସମର୍ପଣ ଭାବର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ସେ ବିଦେଶରେ ରହୁଥିବା ଭାରତୀୟ ସମୁଦାୟ ଏବଂ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଏହି ବ୍ୟକ୍ତିମାନେ ବୈଶ୍ୱିକ ମଞ୍ଚରେ ଭାରତର ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେ ଦେଶବାସୀଙ୍କୁ ରାଷ୍ଟ୍ର ନିର୍ମାଣର ଭାବନା ସହ ଆଗକୁ ବଢ଼ିବାକୁ ଏବଂ ଭାରତକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପରେ ଯୋଗଦାନ ଦେବାକୁ ଆହ୍ୱାନ କରିଛନ୍ତି।

Leave A Reply

Your email address will not be published.