ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଉଛି। ନୌସେନା ପାଇଁ ନିର୍ମାଣ ହେଉଥିବା ପରବର୍ତ୍ତୀ ପିଢ଼ିର ୧୧ଟି ଯୁଦ୍ଧଜାହାଜ ମଧ୍ୟରୁ ତୃତୀୟ ଜାହାଜଟି ଅଗଷ୍ଟ ୧୧ ତାରିଖରେ କୋଲକାତାରେ ଜଳାବତରଣ କରିବ।
ଗାର୍ଡେନ ରିଚ୍ ଶିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍ (GRSE) ଓ ଗୋଆ ଶିପୟାର୍ଡ ଲିମିଟେଡ୍ (GSL) ମିଳିତ ଭାବେ ଏହି ଜାହାଜଗୁଡ଼ିକର ନିର୍ମାଣ କରୁଛନ୍ତି। ଏନେଇ ସୋମବାର ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।
ଏହି ନୂଆ ଯୁଦ୍ଧଜାହାଜଟି ଭାରତୀୟ ନୌସେନାର ପରବର୍ତ୍ତୀ ପିଢ଼ିର ଜାହାଜ ବର୍ଗର ଅଂଶ ହେବ। ଏହା ପୂର୍ବରୁ ଜିଆରଏସଇ ପକ୍ଷରୁ ନିର୍ମିତ ‘ସଂଘମିତ୍ରା’ ନାମକ ଜାହାଜକୁ ଜୁନ୍ ୨୦ ତାରିଖରେ ଜଳାବତରଣ କରାଯାଇଥିଲା।
ସେହିପରି ଜିଏସଏଲ୍ ପକ୍ଷରୁ ନିର୍ମାଣ ହେଉଥିବା ୭ଟି ଜାହାଜ ମଧ୍ୟରୁ ଗୋଟିଏକୁ ମଧ୍ୟ ୨୦୨୬ ମାର୍ଚ୍ଚ ୩୧ରେ ଜଳାବତରଣ କରାଯାଇସାରିଛି। ଏହି ଜାହାଜର ନାମ ‘ଶଚୀ’ ରଖାଯାଇଛି।
ନୌସେନା ଅଧିକାରୀଙ୍କ ପତ୍ନୀ କରିବେ ଜଳାବତରଣ
ଅଗଷ୍ଟ ୧୧ରେ ହେବାକୁ ଥିବା ଜଳାବତରଣ କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର କଣ୍ଟ୍ରୋଲର ଅଫ୍ ୱାରସିପ୍ ପ୍ରଡକ୍ସନ୍ ଆଣ୍ଡ ଆକ୍ୱିଜିସନ୍ର ଭାଇସ୍ ଆଡମିରାଲ ସଞ୍ଜୟ ସାଧୁଙ୍କ ପତ୍ନୀ ମନିକା ସାଧୁ ମୁଖ୍ୟ ଭୂମିକାରେ ରହିବେ। ସେ ଜାହାଜଟିକୁ ଜଳାବତରଣ କରିବେ। ଏହି ଅବସରରେ ଭାଇସ୍ ଆଡମିରାଲ ସଞ୍ଜୟ ସାଧୁ ମଧ୍ୟ ଉପସ୍ଥିତ ରହିବେ।
୨୦୨୮ରୁ ନୌସେନାରେ ସାମିଲ ହେବା ଲକ୍ଷ୍ୟ
ନୌସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏନଜିଓପିଭି ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ଆଗେଇ ଚାଲିଛି। ଜାହାଜଗୁଡ଼ିକର ନିର୍ମାଣ ପରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର, ଉପକରଣ ଓ ବିଭିନ୍ନ ସିଷ୍ଟମ୍ ସଂଯୋଜନ କାମ ହେବ। ୨୦୨୮ରୁ ଏହି ଜାହାଜଗୁଡ଼ିକୁ ନୌସେନାରେ ସାମିଲ କରିବାର ଲକ୍ଷ୍ୟ ରହିଛି।
ଏହି ଜାହାଜଗୁଡ଼ିକରେ ଉନ୍ନତ ଗୁପ୍ତ କ୍ଷମତା, ଦୀର୍ଘ ସାମୁଦ୍ରିକ ଅଭିଯାନ ପାଇଁ ସୁବିଧା ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ରହିବ। ଫଳରେ ସମୁଦ୍ରରେ ବିଭିନ୍ନ ପ୍ରକାର ଅଭିଯାନ ଚଳାଇବାରେ ଭାରତୀୟ ନୌସେନାର କ୍ଷମତା ଆହୁରି ବଢ଼ିବ।
ନୌସେନାର ଦୀର୍ଘମିଆଦୀ ଯୋଜନା ଅନୁସାରେ ଭବିଷ୍ୟତରେ ନିର୍ମାଣ ହେବାକୁ ଥିବା ଯୁଦ୍ଧଜାହାଜଗୁଡ଼ିକରେ ଆଧୁନିକ ପ୍ରଯୁକ୍ତିକୁ ପ୍ରମୁଖତା ଦିଆଯିବ। ଏଥିରେ ପରବର୍ତ୍ତୀ ପିଢ଼ିର କର୍ଭେଟ୍, ଫ୍ରିଗେଟ୍, ସର୍ଭେ ଜାହାଜ ଓ ଡେଷ୍ଟ୍ରୟର ଭଳି ଯୁଦ୍ଧଜାହାଜ ସାମିଲ ହେବ।