ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଦେବ ଅକାଳୀ ଦଳ: ବଦଳିଲା ସୁଖବୀରଙ୍କ ସ୍ୱର

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଠିକ୍ ଦିନକ ପରେ ଶିରୋମଣି ଅକାଳୀ ଦଳ (ଏସଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ ନିଜ ରାଜନୈତିକ ଆଭିମୁଖ୍ୟ ବଦଳାଇଛନ୍ତି। ଆସନ୍ତା ସଂସଦ ଅଧିବେଶନରେ ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍’ (Delimitation Bill) ଏବଂ ‘ମହିଳା ସଂରକ୍ଷଣ ବିଲ୍’କୁ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ବାଦଲ ଶନିବାର ଘୋଷଣା କରିଛନ୍ତି।

ମେଣ୍ଟ ଫେରିବା ନେଇ ସଙ୍କେତ? ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆସିଥିବା ଏହି ବଡ଼ ଘୋଷଣା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଆଡ଼କୁ ଇସାରା କରୁଛି। ଚାଷୀ ଆନ୍ଦୋଳନ ସମୟରେ ବିଜେପିଠାରୁ ଦୂରେଇ ଯାଇଥିବା ଏସଏଡି, ପୁଣି ଥରେ ଏନଡିଏ (NDA)କୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ବାଦଲଙ୍କ ଏହି ଆଭିମୁଖ୍ୟ ବିଜେପି ଏବଂ ଏସଏଡି ମଧ୍ୟରେ ପୁଣି ମେଣ୍ଟ ହେବାର ସ୍ପଷ୍ଟ ସଙ୍କେତ ଦେଉଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

କ’ଣ କହିଲେ ସୁଖବୀର? କେନ୍ଦ୍ର ସରକାରଙ୍କ ଯୋଜନାକୁ ସମର୍ଥନ ଜଣାଇ ସୁଖବୀର ସିଂହ ବାଦଲ କହିଛନ୍ତି ଯେ ଦେଶରେ ମହିଳା ସଂରକ୍ଷଣ ବିଲ୍ ଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ତାଙ୍କ ଦଳ ଚାହୁଁଛି। ଏହାସହ, ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ପ୍ରତ୍ୟେକ ରାଜ୍ୟରେ ୫୦ ପ୍ରତିଶତ ଆସନ ବୃଦ୍ଧି କରିବା ଯୋଜନାକୁ ମଧ୍ୟ ଏସଏଡି ସମର୍ଥନ ଦେବ।

ଶନିବାର ଚଣ୍ଡିଗଡ଼ରେ ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବାଦଲ ସାମାଜିକ ଗଣମାଧ୍ୟମ ଏକ୍ସ (X)ରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ବାଦଲଙ୍କ ଏହି ୟୁ-ଟର୍ଣ୍ଣ ପଞ୍ଜାବ ରାଜନୀତିରେ ହଲଚଲ ସୃଷ୍ଟି କରିଛି।

Leave A Reply

Your email address will not be published.