ଯାଜପୁର, (ପିପିଏସ୍): ଲଗାଣ ବର୍ଷା ଓ ବୈତରଣୀ-କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପୁଣିଥରେ ବନ୍ୟା ପ୍ରଭାବିତ ହୋଇଛି। ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଅଗଷ୍ଟ ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଦଶରଥପୁର ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ ୯.୫୨ ମିଟର ଟପି ୧୦.୬୦ ମିଟରରେ ପ୍ରବାହିତ ହେଉଛି।
ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଓ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଡୋଭାବିଲ, ଖସାଲପୁର, କସପା ଓ ମଲ୍ଲିକାପୁର ଅଞ୍ଚଳ ବୁଲି ଦେଖିବା ସହ ଅହିୟାସ ଠାରେ ଚାଲିଥିବା ଘାଇ ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ବନ୍ୟାଜଳ ହ୍ରାସ ପାଇବା ପରେ ଘାଇ ମରାମତି କାର୍ଯ୍ୟକୁ ଦ୍ରୁତ ଓ ସୁଦୃଢ଼ ଭାବେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ପରିବାରଙ୍କ ନିକଟରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରିଲିଫ୍ ସାମଗ୍ରୀ ଓ ପଲିଥିନ୍ ପହଞ୍ଚାଇବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି।
ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁସାରେ, ଦଶରଥପୁର ଓ ବଡ଼ଚଣା ବ୍ଲକର ୪ଟି ଗ୍ରାମପଞ୍ଚାୟତ ଏବଂ ୧୦ଟି ଗ୍ରାମର ୧୩,୪୨୨ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ପ୍ରଭାବିତଙ୍କ ପାଇଁ ୧୦ଟି ମାଗଣା ରୋଷେଇ ଓ ରିଲିଫ୍ କେନ୍ଦ୍ର ଖୋଲାଯାଇଛି। ଏଠାରେ ୩,୮୯୮ ଜଣ ବୟସ୍କ ଓ ୧,୦୬୬ ଜଣ ଶିଶୁଙ୍କ ସମେତ ମୋଟ ୪,୯୬୪ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଦଶରଥପୁରରେ ଗୋଟିଏ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ବନ୍ୟାରେ ଏପର୍ଯ୍ୟନ୍ତ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି। ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିବା ସହ ସମସ୍ତ ପ୍ରକାର ଜରୁରୀକାଳୀନ ପଦକ୍ଷେପ ପାଇଁ ସଜାଗ ରହିଛି।