ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ‘ନବୀନ’ : କବି ଡ଼. ପ୍ରସନ୍ନ ପାଟ୍ଟଶାଣୀ

*‘ନବୀନ’ର ପ୍ରତିଷ୍ଠାତା ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ
*ସାହିତ୍ୟ, ସଂସ୍କୃତି, ନୃତ୍ୟ କଳା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଶୀର୍ଷ ସ୍ଥାନରେ

ବ୍ରହ୍ମପୁର/ଭୁବନେଶ୍ୱର,୨୩-୮-୨୪ (ପିପିଏସ) : ଓଡ଼ିଶାର ସର୍ବପୁରାତନ ସମ୍ୱାଦପତ୍ର ‘ନବୀନ’ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ବୋଲି ପୂର୍ବତନ ସାଂସଦ ତଥା ଓଡ଼ିଶାର ବିଶିଷ୍ଟ କବି ଡ଼. ପ୍ରସନ୍ନ ପାଟ୍ଟଶାଣୀ ନବୀନ ପକ୍ଷରୁ ଆୟୋଜିତ କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଡ଼. ପାଟ୍ଟଶାଣୀ କହିଥିଲେ ଯେ, ନବୀନ ଓ ଗଞ୍ଜାମ ଜିଲ୍ଲା ସହ ସମ୍ପର୍କ ଅର୍ଦ୍ଧଶତାବ୍ଦୀର। ଏହି ଜିଲା ସ୍ଵାଧୀନତା ସଂଗ୍ରାମ, ସମ୍ୱାଦପତ୍ର ପ୍ରକାଶନ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଇତ୍ୟାଦିର ନେତୃତ୍ଵ ନେଇ ସମଗ୍ର ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏହି ଜିଲାରୁ ତିନି ଜଣ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶାସନ ଭାର ସମ୍ଭାଳିଛନ୍ତି। ସାହିତ୍ୟ, ସଂସ୍କୃତି, ନୃତ୍ୟ କଳା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି। ସେ ଆହୁରି କହିଥିଲେ ଯେ, ନବୀନ ପ୍ରକାଶନ ଆରମ୍ଭରୁ ହିଁ ଓଡ଼ିଆ ସାରସ୍ଵତ ସାଧକମାନଙ୍କର ସାରଥୀ ଭାବେ କାର୍ଯ୍ୟ କରି ଆସିଥିବା ବେଳେ ଆଜି ମଧ୍ୟ ସେହି ଧାରାକୁ ବଜାୟ ରଖିଛି।

ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନୀ କକ୍ଷରେ ସାପ୍ତାହିକ ‘ନବୀନ’ର 95ତମ ପ୍ରତିଷ୍ଠା ଦିବସ ପାଳନ ଓ କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ପାଳନ ଅବସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାଗବତ ଭାସ୍କର ତଥା ପ୍ରବଚକ ପଣ୍ଡିତ ଜଗନ୍ନାଥ ପଣ୍ଡା ଯୋଗଦେଇ ନବୀନର ଉତ୍ତୋରତ୍ତର ଶ୍ରୀବୃଦ୍ଧି କାମନା କରିବା ସହ ‘ନବୀନ’ର ଶତାୟୁ ହେଉ ବୋଲି ଆଶୀର୍ବଚନ ଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥିଙ୍କ ଦ୍ଵାରା ଭାରତ ବର୍ଷର ବିଶିଷ୍ଟ ସମାଜସେବୀ ତଥା ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ପ୍ରେମ୍‌‍’ର ସଭାପତି ଡ଼. ଜାକୋବ୍‌‍ ଥୁଣ୍ଡିଲ ଓ ବିଶିଷ୍ଟ ସମାଜସେବୀ ତଥା ଅଗସ୍ତିନୂଆଗାଁସ୍ଥିତ ଚିଦାନନ୍ଦ ଦିବ୍ୟଧାମର ପ୍ରତିଷ୍ଠାତା ସଭାପତି ବିପ୍ର ଚରଣ ପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କୃପାସିନ୍ଧୁ ନରେନ୍ଦ୍ର ଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ଼. ଥୁଣ୍ଡିଲ ଓ ଶ୍ରୀ ପାତ୍ର ସମ୍ୱର୍ଦ୍ଧନାର ଉତ୍ତରରେ ନବୀନର ଏଭଳି ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ପାଇ ଆନନ୍ଦ ପ୍ରକାଶ କରିବା ସହ ଅନୁଷ୍ଠାନ ପ୍ରତି କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିିପାଠୀଙ୍କ ସଭାପତିତ୍ଵରେ ଆୟୋଜିତ କବିତା ପାଠୋତ୍ସବରେ ଅତିଥି ଭାବେ ସୁମନା ଶ୍ଵେତପଦ୍ମା ସମ୍ପାଦକ ବିଜୟ ଚନ୍ଦ୍ର ମିଶ୍ର, ଡ଼. ଡ଼ମ୍ୱରୁଧର ସାହୁ ଯୋଗ ଦେଇଥିବା ବେଳେ ପଦ୍ମିନୀ ମିଶ୍ର କବିତା ସଂଯୋଜନା କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶତାଧିକ କବି କବୟିତ୍ରୀ ଅଂଶଗ୍ରହଣ କରି ସ୍ଵରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କର, ନବୀନର ପ୍ରକାଶିକା ମଞ୍ଜୁ ରଥ, ଅଞ୍ଜଳି ଦାଶ, ସସ୍ମିତା ମିଶ୍ର, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସାମ୍ୱାଦିକ ଅରୁଣ କୁମାର ପଣ୍ଡା, ଶିକ୍ଷାବିତ୍‌‍ କାମରାଜୁ ମହାରଣା ସହଯୋଗ କରିଥିବା ବେଳେ ଶେଷରେ ସାମ୍ୱାଦିକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *